ଇଭିଏମକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପୁଣି ପିଟିସନ, ଆବେଦନକାରୀ କହିଲେ ସଂସଦର ମିଳିନି ମଞ୍ଜୁରି | News Room Odisha

ଇଭିଏମକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପୁଣି ପିଟିସନ, ଆବେଦନକାରୀ କହିଲେ ସଂସଦର ମିଳିନି ମଞ୍ଜୁରି

ନୂଆଦିଲ୍ଲୀ: ଇଭିଏମ୍ ମେସିନ୍ ମାମଲା ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଇଭିଏମ୍ ମାଧ୍ୟମରେ ଭୋଟ୍ ବିରୋଧରେ ଆବେଦନ କରି ଓକିଲ ମନୋହର ଲାଲ ଶର୍ମା ଶୀଘ୍ର ଏହାର ଶୁଣାଣି କରିବାକୁ ଦାବି କରିଛନ୍ତି।

ଇଭିଏମ୍ ମେସିନ୍ ସହି ତାଙ୍କର କଣ ସମସ୍ୟା ଅଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଆବେଦନକାରୀଙ୍କୁ ପଚାରିଛନ୍ତି । ଶର୍ମା କହିଛନ୍ତି ଯେ କେବଳ ବାଲଟ୍ ପେପର ମାଧ୍ୟମରେ ନିର୍ବାଚନ କରାଯିବା ଉଚିତ | ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଉପରେ ଶୁଣାଣି କରିବାକୁ ଶର୍ମା ନିବେଦନ କରିଛନ୍ତି। ଏହା ସେ ଦେଖିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଶର୍ମା ତାଙ୍କ ପିଟିସନରେ ଲୋକ ପ୍ରତିନିଧିତ୍ ଆଇନର ଧାରା ୬୧ (କ) କୁ ଚ୍ୟାଲେଞ୍ଜ କରିଛନ୍ତି ଯେଉଁଥିରେ ବାଲଟ୍ ପେପର ବଦଳରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମାଧ୍ୟମରେ ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି। ଶର୍ମା ଯୁକ୍ତି କରିଛନ୍ତି ଯେ ଇଭିଏମ୍ ବ୍ୟବସ୍ଥାକୁ ସଂସଦରେ ଏପର୍ଯ୍ୟନ୍ତ ମଞ୍ଜୁରି ମିଳିନାହିଁ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ମାଧ୍ୟମରେ କରାଯାଇଥିବା ସମସ୍ତ ନିର୍ବାଚନ ବେଆଇନ ଅଟେ। ସର୍ବତ୍ର ବାଲଟ୍ ମାଧ୍ୟମରେ ପୁନଃ ମତଦାନ କରାଯିବା ଉଚିତ୍ |