ବିଶନ ସିଂହ ବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଃଖ ପ୍ରକାଶ | News Room Odisha

ବିଶନ ସିଂହ ବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: କିମ୍ବଦନ୍ତୀ ସ୍ପିନର ବିଶନ ସିଂହ ବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି, “ପ୍ରଖ୍ୟାତ କ୍ରିକେଟର ଶ୍ରୀ ବିଶନ ସିଂ ବେଦୀଙ୍କର ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ଖେଳ ପ୍ରତି ତାଙ୍କର ଅଦମ୍ୟ ଉତ୍ସାହ ଥିଲା ଏବଂ ତାଙ୍କର ଚମତ୍କାର ବୋଲିଂ ଭାରତକୁ ଅନେକ ସ୍ମରଣୀୟ ବିଜୟ ଦେଇଥିଲା । ଆଗାମୀ ପୀଢ଼ିର ଖେଳାଳିଙ୍କ ପାଇଁ ସେ ପ୍ରେରଣା ହୋଇ ରହିବେ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି। ”

ଭାରତର ଶ୍ରେଷ୍ଠ ବାମହାତୀ ସ୍ପିନର ଭାବେ ବିବେଚିତ ବେଦୀଙ୍କ ସୋମବାର ୭୭ ବର୍ଷ ବୟସରେ ପରଲୋକ ହୋଇଥିଲା । ବେଦୀ ୧୯୬୬ ରୁ ୧୯୭୯ ପର୍ଯ୍ୟନ୍ତ ୬୭ଟି ମ୍ୟାଚ୍ ଖେଳି ୨୬୬ ୱିକେଟ୍ ନେଇଥିଲେ। ସେ ମଧ୍ୟ ୧୦ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ସତୁରୀ ଦଶକରେ ଭାରତର ସ୍ପିନ ବୋଲିଂ ତୂଣୀରରେ ବେଦୀ ଥିଲେ ଅନ୍ୟତମ ଅସ୍ତ୍ର । ବେଦୀ, ବି.ଏସ ଚନ୍ଦ୍ରଶେଖର, ଏରାପଲ୍ଲୀ ପ୍ରସନ୍ନା ଓ ଏସ. ଭେଙ୍କଟ ରାଘବନଙ୍କୁ ନେଇ ଭାରତର ସ୍ପିନ ଆକ୍ରମଣ ବେଶ୍ ସଫଳ ଥିଲା । ଅମୃତସରରେ ଜନ୍ମିତ ବେଦୀ ଦିଲ୍ଲୀ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ । ୩୭୦ ପ୍ରଥମ ଶ୍ରେଣୀ ମ୍ୟାଚରୁ ବେଦୀ ୧୫୬୦ ୱିକେଟ ନେଇଥିଲେ, ଯାହା କି ଏକ ରେକର୍ଡ।