ବାଲେଶ୍ବର ଟ୍ରେନ୍ ଟ୍ରାଜେଡି: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା | News Room Odisha

ବାଲେଶ୍ବର ଟ୍ରେନ୍ ଟ୍ରାଜେଡି: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

ନୂଆଦିଲ୍ଲୀ: ବାଲେଶ୍ୱର ବାହାନଗା ନିକଟରେ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୩୫୦ ରୁ ଅଧିକ ଆହତ ହୋଇଛନ୍ତି ।

ଏହି ହୃଦୟ ବିଦାରକ ଦୁର୍ଘଟଣା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଟ୍ବିଟ୍ କରି ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି।

ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତାହତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସେ କଥା ହୋଇଛନ୍ତି ଓ ଉଦ୍ଧାର କାର୍ଯ୍ୟରେ ସବୁ ପ୍ରକାର ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି‌ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବାଲେଶ୍ଵର ରେଳ ଦୁର୍ଘଟଣା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତମାନଙ୍କ ଆରୋଗ୍ୟ କାମନା କରିଛନ୍ତି।

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହାତ ହୋଇଥିବା ଲୋକଙ୍କୁ ୫୦,୦୦୦ ଟଙ୍କା କ୍ଷତି ପୂରଣ ଘୋ‌ଷଣା କରାଯାଇଛି ।

ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆବଶ୍ୟକ ପଡିଲେ ବାୟୁସେନାକୁ ବି ନି‌ୟୋଜିତ କରାଯିବ ବୋଲି ବୈଷ୍ଣବ କହିଛନ୍ତି ।

ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।