ଲେଖକ: ବିଜନ କୁମାର ମହାପାତ୍ର
ଭାରତର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଷ୍ଟ୍ରପତି ହେଉଛନ୍ତି ଶାସନ ମୁଖ୍ୟ । ଆମ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ମନ୍ତ୍ରିମଣ୍ଡଳର ପରାମର୍ଶ ଅନୁସାରେ ହିଁ କାର୍ଯ୍ୟ କରିବେ । ଦେଶର ରାଷ୍ଟ୍ରପତି କେବଳ ସରକାରଙ୍କ ଆଳଙ୍କାରିକ ମୁଖ୍ୟ ଭାବେ କାର୍ଯ୍ୟ ନିର୍ବାହ କରନ୍ତି । କିଛି ବିଶେଷ ସାମ୍ବିଧାନିକ କ୍ଷମତା ରହିଥିଲେ ମଧ୍ୟ ଏକ ନିର୍ବାଚିତ ସରକାରଙ୍କ ପରାମର୍ଶରେ ହିଁ ସେ କାର୍ଯ୍ୟ କରିଥାଆନ୍ତି । ତେଣୁ ଭାରତର ରାଷ୍ଟ୍ରପତିଙ୍କୁ ନିର୍ବାଚିତ ସରକାରଙ୍କ ‘ରବର ଷ୍ଟାମ୍ପ’ ବୋଲି କୁହାଯାଏ ।
କିନ୍ତୁ ଦେଖାଯାଇଛି ଯେ, ଭାରତର ସବୁ ରାଷ୍ଟ୍ରପତି କେବଳ ନାମମାତ୍ର ମୁଖ୍ୟ ଭାବେ ରହିବାକୁ ପସନ୍ଦ କରିନାହାନ୍ତି । କିଛି ବ୍ୟତିକ୍ରମ ମଧ୍ୟ ଅଛନ୍ତି । ଆଗରୁ ଅନେକ ରାଷ୍ଟ୍ରପତି ଏକାଧିକ ପ୍ରସଙ୍ଗରେ ଭିନ୍ନ ଓ ସ୍ୱତନ୍ତ୍ର ମତପୋଷଣ କରି ନିର୍ବାଚିତ ସରକାରଙ୍କ ସହ ମୁହାଁମୁହିଁ ହୋଇଥିବାର ଏକାଧିକ ଉଦାହରଣ ରହିଛି । ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସବୁ ନିଷ୍ପତ୍ତିରେ ସହମତ ନ ଥିଲେ । ବିଭିନ୍ନ ପ୍ରସଙ୍ଗରେ ନେହେରୁଙ୍କ ସହ ତାଙ୍କର ମତଭେଦ ରହିଆସିଥିଲା । ରାଜେନ୍ଦ୍ର ପ୍ରସାଦ ନେହେରୁ ସରକାରଙ୍କ କିଛି ନୀତିକୁ ସର୍ବସାଧାରଣରେ ପରୋକ୍ଷ ଭାବେ ସମାଲୋଚନା କରୁଥିଲେ । ହିନ୍ଦୁ କୋଡ୍ ବିଲ୍, ସଶସ୍ତ୍ର ବାହିନୀରେ ନିଯୁକ୍ତି ଏବଂ ମୁତୟନ ଭଳି ବିଭିନ୍ନ ପ୍ରସଙ୍ଗରେ ଜବାହର ଲାଲ ନେହେରୁଙ୍କ ସହ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଖୋଲାଖୋଲି ମତଭେଦ ରହିଥିଲା ।
ଭାରତର ସପ୍ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଜ୍ଞାନୀ ଜୈଲ ସିଂହ । ରାଷ୍ଟ୍ରପତି ହେବା ପୂର୍ବରୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ । ଗୃହମନ୍ତ୍ରୀ ଥିଲା ବେଳେ ପାର୍ଲାମେଣ୍ଟରେ ଆଡଲଫ ହିଟଲରଙ୍କୁ ପ୍ରଶଂସା କରି ବେଶ୍ ଚର୍ଚ୍ଚିତ ହୋଇଥିଲେ ଜ୍ଞାନୀ ଜୈଲ ସିଂହ । ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସହ ଜୈଲ ସିଂହଙ୍କ ସଂପର୍କ ତିକ୍ତ ଥିଲା । ବିଭିନ୍ନ ପ୍ରସଙ୍ଗରେ ରାଜୀବ ଗାନ୍ଧି ସରକାରଙ୍କୁ ପ୍ରଶ୍ନ କରିଥିଲେ ଜ୍ଞାନୀ ଜୈଲ ସିଂହ । ପାର୍ଲାମେଣ୍ଟରେ ଗୃହୀତ ବିବାଦୀୟ ଇଣ୍ଡିଆନ ପୋଷ୍ଟ ଅଫିସ ( ସଂଶୋଧନ ) ବିଲରେ ସ୍ୱାକ୍ଷର କରିବା ପାଇଁ ମନା କରିଦେଇଥିଲେ ଜୈଲ ସିଂହ,ଯାହା କି ସରକାରଙ୍କୁ ହରଡଘଣାରେ ପକାଇଥିଲା । ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟ ନୀତି କାହିଁକି ନାହିଁ ବୋଲି ମଧ୍ୟସେ ପ୍ରଶ୍ନ କରିଥିଲେ । ଦେଶ ଉଦ୍ଦେଶ୍ୟରେ ତାଙ୍କର ସମ୍ବୋଧନକୁ ସେନସର କରାଯାଇଥିବାରୁ ମଧ୍ୟ କଡା ଆପତ୍ତି ପ୍ରକାଶ କରିଥିଲେ ରାଷ୍ଟ୍ରପତି ଜୈଲ ସିଂହ । ରାଜୀବ ଗାନ୍ଧିଙ୍କ ଦ୍ୱାରା ଉପେକ୍ଷିତ ହୋଇଥିବାରୁ ଜୈଲ ସିଂହ ପ୍ରତିକ୍ରିୟାଶୀଳ ହୋଇ ସରକାରଙ୍କୁ ଲଜ୍ଜିତ କରିଥିଲେ ବୋଲି କୁହାଯାଏ । ଗାନ୍ଧି ପରିବାରର ଜଣେ ଅଗ୍ରଣୀ ଅନୁଗତ ଭାବେ ଜଣାଶୁଣା ଥିଲେ ଜ୍ଞାନୀ ଜୈଲ ସିଂହ । ସଞ୍ଜୟ ଗାନ୍ଧିଙ୍କୁ ସେ ନିଜର ପୃଷ୍ଠପୋଷକ ଭାବେ ସର୍ବସାଧାରଣରେ ଘୋଷଣା କରିଥିଲେ । ଇନ୍ଦିରା ଗାନ୍ଧି ଚାହିଁଲେ ସେ ଝାଡୁ କରିବାକୁ ମଧ୍ୟ ପ୍ରସ୍ତୁତ ବୋଲି ଦିନେ ଘୋଷଣା କରିଥିବା ଜ୍ଞାନୀ ଜୈଲ ସିଂହ ଯେ, ତାଙ୍କ ପୁଅ ରାଜୀବ ଗାନ୍ଧିଙ୍କ ପ୍ରତି ଅଡୁଆ ସୃଷ୍ଟି କରିବେ, ତାହା ହୁଏତ କେହି କଳ୍ପନା କରି ନଥିବେ । ରାଜୀବ ଗାନ୍ଧି ଓ ଜ୍ଞାନୀ ଜୈଲ ସିଂହଙ୍କ ମଧ୍ୟରେ ସଂପର୍କ ଏତେ ତିକ୍ତ ହୋଇଯାଇଥିଲା ଯେ, ଦୁଇ କାର୍ଯ୍ୟାଳୟ ମଧ୍ୟରେ ସୌଜନ୍ୟମୂଳକ ଯୋଗାଯୋଗ ମଧ୍ୟ ଠପ୍ ହୋଇଯାଇଥିଲା ।
ଭାରତର ନବମ ରାଷ୍ଟ୍ରପତି ଡକ୍ଟର ଶଙ୍କର ଦୟାଲ ଶର୍ମା ମଧ୍ୟ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟରେ ସହମତ ନ ଥିଲେ । ୧୯୯୨ ମସିହାରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡକ୍ଟର ଶଙ୍କର ଦୟାଲ ଶର୍ମା ନିଜର କାର୍ଯ୍ୟକାଳ ମଧ୍ୟରେ ତିନି ପ୍ରଧାନମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ୧୯୯୬ରେ ସେ ତତ୍କାଳୀନ ସରକାରଙ୍କ ଦୁଇଟି ଅଧ୍ୟାଦେଶରେ ସ୍ୱାକ୍ଷର ନ କରି ଫେରାଇ ଦେଇଥିଲେ । ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଦୁଇଟି ଅଧ୍ୟାଦେଶ ଜାରି କରାଯାଇଥିବାରୁ ସେଥିରେ ସ୍ୱାକ୍ଷର କରି ନଥିଲେ ଶଙ୍କର ଦୟାଲ ଶର୍ମା । ସେତେବେଳେ ଶଙ୍କର ଦୟାଲ ଶର୍ମାଙ୍କ ଏହି ପଦକ୍ଷେପ ଦେଶବ୍ୟାପୀ ବିତର୍କ ସୃଷ୍ଟି କରିଥିଲା ।
କେ.ଆର ନାରାୟଣନ ଦେଶର ସବୁଠୁ ସକ୍ରିୟ ଓ ସ୍ୱାଧୀନଚେତା ରାଷ୍ଟ୍ରପତି ଭାବେ ବିବେଚିତ ହୁଅନ୍ତି । ନାରାୟଣନ ଥିଲେ ଦେଶର ପ୍ରଥମ ଦଳିତ ରାଷ୍ଟ୍ରପତି । ଲଣ୍ଡନ ସ୍କୁଲ ଅଫ ଇକୋନୋମିକସରୁ ଶିକ୍ଷା ପ୍ରାପ୍ତ ନାରାୟଣନ ରାଷ୍ଟ୍ରପତି ହେବା ପୂର୍ବରୁ କୂଟନୀତିଜ୍ଞ ଭାବେ କା ର୍ଯ୍ୟ କରିଥିଲେ । ସବୁ ପ୍ରସଙ୍ଗରେ ତତ୍କାଳୀନ କେନ୍ଦ୍ର ସରକାରଙ୍କ ସହ ସହମତ ହୋଇ ନଥିଲେ ନାରାୟଣନ । ତାଙ୍କ କାର୍ଯ୍ୟକାଳରେ ଏକାଧିକ ପରମ୍ପରା ଭଙ୍ଗ ହୋଇଥିଲା । ନିଜର ଭାଷଣ ସେ ନିଜେ ପ୍ରସ୍ତୁତ କରୁଥିଲେ । ଏଥିରେ କେନ୍ଦ୍ରର ହସ୍ତକ୍ଷେପକୁ ପସନ୍ଦ କରୁ ନ ଥଲେ ନାରାୟଣନ । ଏପରିକି ପ୍ରୋଟକଲ ଭାଙ୍ଗି ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ସାକ୍ଷାତକାର ଦେଇଥିଲେ ନାରାୟଣନ । ବିହାରରେ ରାଷ୍ଟ୍ରପତି ଶାସନ ଜାରି ପାଇଁ କ୍ୟାବିନେଟ ପ୍ରସ୍ତାବକୁ ଗ୍ରହଣ ନ କରି ସେ ଫେରାଇ ଦେଇଥିଲେ । ପ୍ରସ୍ତାବର ପୁନଃବିଚାର ପାଇଁ ପରାମର୍ଶ ଦେଇଥିଲେ ନାରାୟଣନ । ସେ ଜଣେ ରବର ଷ୍ଟାମ୍ପ ନୁହଁନ୍ତି ବୋଲି ଖୋଲାଖୋଲି ଘୋଷଣା କରିଥିଲେ ନାରାୟଣନ । ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧିନ ଏନଡିଏ ସରକାରର ବୈଦେଶିକ ନୀତିରେ ସମ୍ମତ ନ ଥିଲେ ନାରାୟଣନ । ୨୦୦୦ ମସିହାରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଂଟନଙ୍କ ଭାରତ ଗସ୍ତ ବେଳେ ତାଙ୍କ ସମ୍ମାନରେ ଆୟୋଜିତ ରାଜକୀୟ ଭୋଜିରେ ନାରାୟଣନ କ୍ଲିଂଟନଙ୍କୁ ନିଜ ଭାଷଣରେ ସମାଲୋଚନା କରିଥିଲେ । ଦକ୍ଷିଣ ଏସିଆ ବିଶ୍ୱର ସବୁଠାରୁ ବିପଜ୍ଜନକ ଅଂଚଳ ବୋଲି କ୍ଲିଣ୍ଟନ କହିଥିବାରୁ ତାଙ୍କୁ ସମାଲୋଚନା କରିଥିଲେ ନାରାୟଣନ । ନାରାୟଣନଙ୍କ ଏପରି ସମାଲୋଚନା ବାଜପେୟୀ ସରକାର ଓ କିଛି ଗଣମାଧ୍ୟମକୁ କ୍ଷୁବ୍ଧ କରିଥିଲା ।
ଆଉ କିଛି ରାଜନୀତି ସମୀକ୍ଷକଙ୍କ ମଧ୍ୟରେ ପ୍ରଣବ ମୁଖାର୍ଜୀ ଥିଲେ ସମସ୍ତଙ୍କଠାରୁ ସ୍ୱାଧୀନଚେତା ଓ ସକ୍ରିୟ ରାଷ୍ଟ୍ରପତି । ନିଜ କାର୍ଯ୍ୟକାଳରେ ପ୍ରଣବ ମୁଖାର୍ଜୀ ସରକାରଙ୍କ ପରାମର୍ଶ ଗ୍ରହଣ ନ କରି ଫାଶୀ ଦଣ୍ଡାଦେଶ ପାଇଥିବା ଚାରି ଦୋଷୀଙ୍କ ଦଣ୍ଡ କୋହଳ କରିଥିଲେ । ସେ ଏହାର ପୁନଃବିଚାର ପ୍ରସ୍ତାବକୁ ବି ସ୍ୱୀକାର କରି ନଥିଲେ । ଅନେକ ପ୍ରସଙ୍ଗରେ ସରକାରଙ୍କଠାରୁ ସ୍ୱାଧୀନ ମତପୋଷଣ କରିବାକୁ ପଛାଇ ନ ଥିଲେ ପ୍ରଣବ ମୁଖାର୍ଜୀ । ଅବଶ୍ୟ ମୋଦି ସରକାରଙ୍କ ସହ ତାଙ୍କର ସଂପର୍କ ଭଲ ଥିଲା ।
୧୯୭୫ ମସିହାରେ ରାଷ୍ଟ୍ରପତି କାର୍ଯ୍ୟାଳୟ ସମାଲୋଚିତ ଓ ନିନ୍ଦିତ ହୋଇଥିଲା । ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସରକାରଙ୍କ ପ୍ରସ୍ତାବରେ ବିନା ଦ୍ୱିଧାରେ ସ୍ୱାକ୍ଷର କରିଥିଲେ ସେତେବେଳର ରାଷ୍ଟ୍ରପତି ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ । ଭାରତୀୟ ପ୍ରେସିଡେନସୀ ଇତିହାସରେ ଏହା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଛି।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ)
ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।
Comments are closed.