ଜିରୋ କୋଭିଡ୍ ନୀତି ବିରୋଧରେ ଚୀନରେ ତେଜିଲା ଆନ୍ଦୋଳନ

ବେଜିଂ: ଜିରୋ କୋଭିଡ୍ ନୀତିକୁ ନେଇ ଚୀନରେ ବିକ୍ଷୋଭ ତେଜିବାରେ ଲାଗିଛି । ରାଜଧାନୀ ବେଜିଂ ସହ ସାଂଘାଇ, ଉରୁମକି, ନାନଜିଙ୍ଗ, ଗୁଆଙ୍ଗଜୋ, ଉହାନ୍ ସହ ଚୀନ୍‌ର ଅତି କମରେ ଏକ ଡଜନ ସହରରେ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି।

କୋଭିଡ -୧୯ କାରଣରୁ ଦେଶରେ ଲାଗୁ ହୋଇଥିବା ଜିରୋ କୋଭିଡ ନୀତି ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ‘ଜିନପିଙ୍ଗ ଗାଦି ଛାଡ’ ସ୍ଲୋଗାନ ସହ ବିଭିନ୍ନ ସହରରେ ବିକ୍ଷୋଭ ତୀବ୍ର ହୋଇଛି । ନିକଟରେ ଚୀନରେ ପୁଣି କୋଭିଡ ମାମଲା ବୃଦ୍ଧି ପାଇବା ପରେ ଚୀନ୍ ସରକାର ପୁଣି ଲକଡାଉନ୍ ସହ କଡ଼ା କଟକଣା ଲାଗୁ କରିଛନ୍ତି ‌। ଲୋକଙ୍କ ଜବରଦସ୍ତି କୋଭିଡ ଟେଷ୍ଟ ଓ କ୍ବରେଣ୍ଟାଇନରେ ରଖାଯାଉଛି ।

କୋଭିଡ୍ ଉତ୍ପତ୍ତି ସ୍ଥଳ ଉହାନ୍ ସହରରେ ଜିନପିଙ୍ଗ ଏବଂ ତାଙ୍କ ପ୍ରଶାସନ ବିରୋଧରେ ଜୋରଦାର ଆନ୍ଦୋଳନ ଦେଖିବାକୁ ମିଳିଛି | ଏଠାରେ ବିକ୍ଷୋଭକାରୀମାନେ ଏହା ‘ଉହାନରୁ ଆରମ୍ଭ ହୋଇଥିଲା ଏଠାରେ ହିଁ ଶେଷ ହେବ’ ସ୍ଲୋଗାନ ଦେଇଥିଲେ । ଉତକ୍ଷିପ୍ତ ଲୋକେ ଲୁହା ବ୍ୟାରିକେଡ୍ ଭାଙ୍ଗିଦେବା ସହ କୋଭିଡ୍ ପରୀକ୍ଷା କରିବାକୁ ମନା କରିଛନ୍ତି । ଏପରିକି ସେମାନେ ଲକଡାଉନ୍ ହଟାଇବାକୁ ଦାବି କରିଛନ୍ତି। ଡିସେମ୍ବର ୨୦୧୯ରେ ଉ ଉହାନରେ କରୋନାର ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା ​​| ଚୀନର ଏହି ସହରରୁ ଉତ୍ପନ୍ନ ଏହି ଘାତକ ଭାଇରସ୍ ପୂରା ବିଶ୍ବକୁ ବ୍ୟାପିଥିଲା ।

ଜିରୋ କୋଭିଡ୍ ନୀତି ଯୋଗୁଁ ଚୀନରେ ବ୍ୟବସାୟ ଠପ୍ ପଡ଼ିଛି ଏବଂ ଲୋକଙ୍କୁ ସେମାନଙ୍କର ପରିବାର ଠାରୁ ଅନେକ ସପ୍ତାହ ଧରି ଅଲଗା ରଖାଯାଉଛି | ସେମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ସୀମିତ ପରିମାଣର ଖାଦ୍ୟ ଦିଆଯାଉଛି ଓ ଔଷଧ ମଧ୍ୟ ସଠିକ୍ ଭାବରେ ଉପଲବ୍ଧ କରାଯାଉ ନାହିଁ । ପ୍ରାୟ ଦୁଇ ବର୍ଷର‌ କୋଭିଡ୍ ଯନ୍ତ୍ରଣା ପରେ ସମଗ୍ର ବିଶ୍ୱରେ ଲୋକଙ୍କ ପାଇଁ ଜୀବନଯାତ୍ରା ସ୍ବାଭାବିକ ହେବାକୁ ଯାଉଥିବାବେଳେ ଚୀନ୍ ବାସୀଙ୍କୁ ଏବେ ବି କଡ଼ା କଟକଣାର ସାମ୍ନା କରିବାକୁ ପଡୁଛି ।

Comments are closed.