୩୦୦ କୋଟି କ୍ଲବରେ ‘ପୋନିୟିନ୍ ସେଲଭାନ୍-୧’, ବକ୍ସ ଅଫିସରେ ‘ବିକ୍ରମ ବେଧା’ ଫେଲ୍

ମୁମ୍ବାଇ: ମଣି ରତ୍ନମଙ୍କ ପିରିୟଡ ଡ୍ରାମା ‘ପୋନିୟିନ୍ ସେଲଭାନ୍-୧’ ବକ୍ସ ଅଫିସରେ ରେକର୍ଡ ପ୍ରଦର୍ଶନ ଜାରି ରଖିଛି । ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଏହି ଫିଲ୍ମ ତାମିଲନାଡୁରେ ଟପ୍ ଗ୍ରସର ଭାବେ ଉଭା ହୋଇଛି । ଏହି ଚଳଚ୍ଚିତ୍ର ପ୍ରଥମ ସପ୍ତାହରେ ବିଶ୍ବବ୍ୟାପୀ ୩୦୦ କୋଟି ଆୟ କରିଛି। ଏହା ପୂର୍ବରୁ କେବଳ ୪ଟି ତାମିଲ ଫିଲ୍ମ – ଇନ୍ଦିରାନ, କବାଲି, ୨.୦ ଓ ବିକ୍ରମ ଏପରି ସଫଳତା ହାସଲ କରିବାରେ ସମର୍ଥ ହୋଇଥିଲେ।

ଚୋଳ ସାମ୍ରାଜ୍ୟର ଇତିହାସ ଉପରେ ଆଧାରିତ ‘ପୋନିୟିନ୍ ସେଲଭାନ୍-୧’ରେ କାର୍ତ୍ତି, ଐଶ୍ୱର୍ୟ୍ୟା ରାୟ ବଚ୍ଚନ, ଜୟମ ରବି, ଚିଆନ୍ ବିକ୍ରମ ଏବଂ ତ୍ରିଶା କ୍ରିଷ୍ଣନଙ୍କ ପରି ଷ୍ଟାର୍ କାଷ୍ଟ ଅଛନ୍ତି । ଏଆର୍ ରହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନା ଥିବା ‘ପୋନିୟିନ୍ ସେଲଭାନ୍-୧’ ରିଲିଜର ପ୍ରଥମ ଦିନରେ ୮୦ କୋଟି ଟଙ୍କା ସଂଗ୍ରହ କରି ତାମିଲ ଫିଲ୍ମ ପାଇଁ ସର୍ବାଧିକ ଓପନର୍ ହୋଇଥିଲା । ଏହା ଭାରତରେ ପ୍ରଥମ ଓ୍ବିକେଣ୍ଡ୍ ସୁଦ୍ଧା ୧୧୪ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏଥିମଧ୍ୟରୁ କେବଳ ତାମିଲନାଡୁରେ ହିଁ ୬୮ କୋଟି ଟଙ୍କା ଆୟ କରିଥିଲା ।

ମଣି ରତ୍ନମଙ୍କ ଫିଲ୍ମକୁ ପାର୍ବଣ ଛୁଟିର ଲାଭ ମଧ୍ୟ ମିଳିଥିଲା । ଫଳସ୍ବରୂପ ‘ପୋନିୟିନ୍ ସେଲଭାନ୍-୧’ ପ୍ରଥମ ସୋମବାର ଦିନ ସାରା ଭାରତରେ ୨୪.୫ କୋଟି ଟଙ୍କା ରୋଜଗାର କରିଥିଲା ​​। ଟ୍ରେଡ୍ ଆନାଲିଷ୍ଟଙ୍କ ସୂଚନା ଅନୁଯାୟୀ ଗୁରୁବାର ‘ପୋନିୟିନ୍ ସେଲଭାନ୍-୧’ ଭାରତରେ ପ୍ରାୟ ୧୧.୫ କୋଟି ଟଙ୍କା ଆୟ କରିଛି। ତାମିଲନାଡୁରେ ୧୩୬.୭୫ କୋଟି ସହ ମୋଟ ଉପରେ ଏହି ଫିଲ୍ମ ପ୍ରଥମ ସପ୍ତାହରେ ଭାରତରେ ମୋଟ ୨୧୫.୭୫ କୋଟି ଟଙ୍କା ରୋଜଗାର କରିଛି । ଏବଂ ସାରା ବିଶ୍ୱରେ ୩୩୦ କୋଟି କଲେକ୍ସନ କରିଛି ।

ଅନ୍ୟପକ୍ଷରେ ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ‘ବିକ୍ରମ ବେଧା’ ବକ୍ସ ଅଫିସରେ ଆଶାନୁରୂପ ବ୍ୟବସାୟ କରିବାରେ ବିଫଳ ହୋଇଛି । ପୁଷ୍କର-ଗାୟତ୍ରୀଙ୍କ ନିର୍ଦ୍ଦେଶିତ ୨୦୧୭ ତାମିଲ ଫିଲ୍ମର ଏହି ହିନ୍ଦୀ ରିମେକ୍ ଦଶହରା ଛୁଟିର ଫାଇଦା ମଧ୍ୟ ଉଠାଇ ପାରିନାହିଁ । ‘ବିକ୍ରମ ବେଧା’ ଭାରତର ୪,୦୦୦ ପ୍ଲସ୍ ସ୍କ୍ରିନ୍ ଏବଂ ବିଦେଶରେ ୧,୬୦୦ ପ୍ଲସ୍ ସ୍କ୍ରିନରେ ରିଲିଜ୍ ହୋଇଥିଲା । ​​କିନ୍ତୁ ଦର୍ଶକଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛି । ସପ୍ତାହ ଶେଷରେ ଏହାର କଲେକ୍ସନରେ କୌଣସି ଆଖି ଦୃଶିଆ ବୃଦ୍ଧି ଘଟି ନାହିଁ ଏବଂ ପ୍ରଥମ ସପ୍ତାହରେ ଆୟ ଆଶାଠାରୁ କମ୍ ରହିଥିଲା ।

ଶୁକ୍ରବାର ରିଲିଜର ପ୍ରଥମ ଦିନରେ ‘ବିକ୍ରମ ବେଧା’ ମାତ୍ର ୧୦.୫ କୋଟି ଟଙ୍କା ରୋଜଗାର କରିଥିଲେ। ପ୍ରଥମ ଓ୍ବିକେଣ୍ଡରେ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ ମାତ୍ର ୩୯.୯୪ କୋଟି ଟଙ୍କା ଥିଲା । ସୋମବାର ଏହା ୫.୩୯ କୋଟି ଟଙ୍କାକୁ ଖସି ଆସିଥିଲା । ଦଶହରା ଛୁଟିରେ ଗୁରୁବାର ଫିଲ୍ମର ବ୍ୟବସାୟ ସାମାନ୍ୟ ବଢ଼ିଥିଲା ଓ ୭.୨୧ କୋଟି ଟଙ୍କା ଆୟ ହୋଇଥିଲା। ମୋଟ ଉପରେ ଏହି ଫିଲ୍ମ ଭାରତରେ ୬୦ କୋଟି ଟଙ୍କା ନେଟ୍ ଆୟ କରିଛି ଏବଂ ସାରା ବିଶ୍ୱରେ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟବସାୟ କରିଛି।

Comments are closed.