ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା

ଚଣ୍ଡିଗଡ଼: ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ ବିବାଦ ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ପୂରା କ୍ୟାବିନେଟର ଇସ୍ତଫା ମଧ୍ୟ ରାଜ୍ୟପାଳ ବି.ଏଲ୍ ପୁରୋହିତଙ୍କୁ ପ୍ରଦାନ କରିଛନ୍ତି। କ୍ୟାପଟେନ୍ ଅମରିନ୍ଦର କିଛି ସମୟ ମଧ୍ୟରେ ରାଜ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଅମରିନ୍ଦର ସିଂ ନିଜ ସାଂସଦ ପତ୍ନୀ ପ୍ରୀତ କୌର ଏବଂ ପୁଅ ରଣଇନ୍ଦର ସିଂଙ୍କ ସହ ରାଜ ଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। କ୍ୟାପଟେନ୍ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ହାଇକମାଣ୍ଡର ଆଭିମୁଖ୍ୟ ଦେଖି କ୍ୟାପଟେନଙ୍କ ଘନିଷ୍ଠ ସହଯୋଗୀ ମଧ୍ୟ ତାଙ୍କଠାରୁ ଦୂରେଇ ଯାଇଥିବା କୁହାଯାଉଛି।
ଏହାପୂର୍ବରୁ କ୍ୟାପଟେନ କଂଗ୍ରେସର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଥିଲେ। ସେ ଆଉ ଏଭଳି ଅପମାନ ସହି ପାର୍ଟିରେ ରହିପାରିବେ ନାହିଁ ବୋଲି ଅମରିନ୍ଦର କୁଆଡେ଼ ସୋନିଆଙ୍କୁ ସିଧା ଜଣାଇ ଦେଇଥିଲେ।

ଗତ କିଛି ମାସ ଧରି ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥକ କୁହାଯାଉଥିବା ଏକ ବିଧାୟକ ଗୋଷ୍ଠୀ ଅମରିନ୍ଦର ସିଂଙ୍କ ବିରୋଧରେ ବିଦ୍ରୋହ କରି ନୂଆ ନେତା ନିଯୁକ୍ତ କରିବାକୁ ଦାବି କରିଆସୁଥିଲେ। କ୍ୟାପଟେନ୍ ଅମରିନ୍ଦରଙ୍କ ଇସ୍ତଫା ପରେ ଏବେ ସମ୍ଭାବ୍ୟ ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସୁନୀଲ ଜାଖର, ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ପ୍ରତାପ ସିଂ ବାଜୱା ଏବଂ ବିଅନ୍ତ ସିଂଙ୍କ ନାତି ତଥା ସାଂସଦ ରବନୀତ ସିଂ ବିଟୁଙ୍କ ରହିଛନ୍ତି ।

Comments are closed.