ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ତଦନ୍ତ ପାଇଁ ଉଚ୍ଚ ସ୍ତରୀୟ କମିଟି ଗଠନ କଲେ ପଞ୍ଜାବ ସରକାର, ସୁପ୍ରିମକୋର୍ଟରେ ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ତ୍ରୁଟି ନେଇ ସମାଲୋଚିତ ହେବା ପରେ ଚରଣଜିତ ସିଂ ଚନ୍ନି ସରକାର ଆକ୍ସନ୍ ମୋଡ୍ କୁ ଆସିଛନ୍ତି। ପଞ୍ଜାବ ସରକାର ଏହି ପ୍ରସଙ୍ଗରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କମିଟି ତିନି ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ। ଅନ୍ୟପଟେ ଏହି ମାମଲା ସୁପ୍ରିମକୋର୍ଟରେ ବି ପହଞ୍ଚିଛି । ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହାର ଶୁଣାଣି ହେବ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ବରିଷ୍ଠ ଓକିଲ ମନିନ୍ଦର ସିଂ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ଆବେଦନପତ୍ରର ନକଲକୁ ପଞ୍ଜାବ ସରକାରଙ୍କୁ ଦେବାକୁ କୋର୍ଟ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ବୁଧବାର ପଞ୍ଜାବର ଫିରୋଜପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ତେବେ ରାସ୍ତାରେ କୃଷକଙ୍କ ବିକ୍ଷୋଭ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଏକ ଫ୍ଲାଏ-ଓଭରରେ ୨୦ ମିନିଟ୍ କାଳ ଅଟକି ରହିଥିଲା । ସୁରକ୍ଷା କାରଣରୁ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ଏହି ଘଟଣା ନେଇ ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ ।

Comments are closed.