ଡିଏଲ୍ ନିୟମରେ କେକେଆରକୁ ହରାଇଲା ପଞ୍ଜାବ କିଙ୍ଗ୍‌ସ

ମୋହାଲି: ଆଇପିଏଲରେ ଶନିବାର ଏଠାରେ ଖେଳାଇଥିବା ବର୍ଷା ପ୍ରଭାବିତ ମ୍ୟାଚରେ ଘରୋଇ ପଞ୍ଜାବ କିଙ୍ଗ୍‌ସ ଡକୱର୍ଥ ଲୁଇସ୍ ନିୟମାନୁସାରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୭ ରନରେ ହରାଇ ଅଭିଯାନ ଆରମ୍ଭ କରିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୧ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ଏହାର ଜବାବରେ କେକେଆର୍ ୧୬ ଓଭର ସୁଦ୍ଧା ୭ ୱିକେଟ୍ ହରାଇ ୧୪୬ ରନ୍ କରିଥିବା ବେଳେ ବର୍ଷା ବାଧକ ସାଜିଥିଲା । ଖେଳ ଆଉ ସମ୍ଭବ ହୋଇନଥିବାରୁ ଡକୱର୍ଥ ଲୁଇସ୍ ନିୟମ ଅନୁଯାୟୀ ପଞ୍ଜାବକୁ ୭ ରନରେ ବିଜୟୀ ଘୋଷଣା କରାଯାଇଥିଲା । ଡକୱାର୍ଥ ଲୁଇସ୍ ଅନୁସାରେ କେକେଆର୍ ୧୬ ଓଭର ସୁଦ୍ଧା ୧୫୩ ରନ୍ କରିବା ଉଚିତ ଥିଲା । ବର୍ଷା ନ ହୋଇଥିଲେ ମ୍ୟାଚ୍ ରୋମାଞ୍ଚକ ହେବା ସମ୍ଭାବନା ଥିଲା ।

୧୯୨ ରନର ବିଜୟଲକ୍ଷ୍ୟ ଜବାବରେ କେକେଆର୍ ଟପ୍ ଅର୍ଡର ଫେଲ୍ ମାରିଥିଲା । ଓପନର ମନ୍ଦୀପ ସିଂ (୨) ଶୀଘ୍ର ଆଉଟ୍ ହୋଇଥିଲେ । ଆଫଗାନ ବ୍ୟାଟର ରମନୁଲ୍ଲା ଗୁରବାଜ ଦ୍ରୁତ ୨୨ ରନ୍ କରିବା ପରେ ଏଲିସଙ୍କ ଶିକାର ହୋଇଥିଲେ । ଅନୁକୂଳ ରୟ (୪) ମଧ୍ୟ ତିଷ୍ଠି ପାରିନଥିଲେ । କେକେଆର ୨୯ ରନରେ ୩ଟି ୱିକେଟ୍ ହରାଇବା ପରେ କ୍ୟାପଟେନ୍ ନୀତିଶ ରାଣା (୨୪) ଓ ଭେଙ୍କଟେଶ ଆୟର (୩୪) ଦଳକୁ ଟ୍ରାକକୁ ଆଣିବାକୁ ଚେଷ୍ଟା କରିଥିଲେ । ଦଳୀୟ ସ୍କୋର ୭୫ ରନ୍ ହୋଇଥିବା ବେଳେ ରାଣାଙ୍କୁ ଆଉଟ୍ କରି ସିକନ୍ଦର ରାଜା ଏହି ଯୋଡି ଭାଙ୍ଗିଥିଲେ । ରିଙ୍କୁ ସିଂ (୪) ଶସ୍ତାରେ ଆଉଟ୍ ହେବା ପରେ କେକେଆର ୮୦ ରନରେ ୫ ୱିକେଟ୍ ହରାଇ ବଡ଼ ପରାଜୟ ଆଡ଼କୁ ଗତି କରୁଥିଲା । ହେଲେ ଭେଙ୍କଟେଶଙ୍କ ସହ ଅଣ୍ଡ୍ରେ ରସେଲ ଯୋଗଦେଇ ପାଲଟା ଆକ୍ରମଣ କରିଥିଲେ । ବିଶେଷକରି ବିସ୍ଫୋରକ ବ୍ୟାଟର ରସେଲ ପଞ୍ଜାବ ଶିବିରରେ ଛନକା ସୃଷ୍ଟି କରିଥିଲେ ।

ରସେଲ ପଞ୍ଜାବ ହାତରୁ ମ୍ୟାଚ୍ ଛଡ଼ାଇ ନେବେ ବୋଲି ମନେ କରାଯାଉଥିବା ବେଳେ ୧୫ତମ ଓଭରରେ ତାଙ୍କୁ ଆଉଟ୍ କରି ଆଇପିଏଲର ସବୁଠୁ ମହଙ୍ଗା ଖେଲାଳି ଇଂଲଣ୍ଡ ଅଲରାଉଣ୍ଡର ସାମ୍ କରନ୍ ପଞ୍ଜାବକୁ ବଡ଼ ଆଶ୍ୱସ୍ତି ଦେଇଥିଲେ । ପରବର୍ତ୍ତୀ ଓଭରରେ ଭେଙ୍କଟେଶଙ୍କୁ ପ୍ୟାଭିଲିୟନ୍ ଫେରାଇ ଅର୍ଶଦୀପ ସିଂ କେକେଆରକୁ ଆଉ ଏକ ଝଟକା ଦେଇଥିଲେ । ଏହି ଦୁଇ ୱିକେଟ୍ ପଞ୍ଜାବ ବିଜୟରେ ଟର୍ଣ୍ଣିଂ ପଏଣ୍ଟ ଥିଲା । ପଞ୍ଜାବ ତରଫରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ପୂର୍ବରୁ କେକେଆର୍ ଟସ୍ ଜିିତି ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । କ୍ୟାପଟେନ ଶିଖର ଧାୱନ୍ ଓ ପ୍ରଭସିମରନ ସିଂ ପଞ୍ଜାବ ପାଇଁ ବ୍ୟାଟିଂ ଓପନ କରିଥିଲେ । ଦ୍ରୁତ ୨୩ ରନ୍ କରିବା ପରେ ପ୍ରଭସିମରନ ଆଉଟ୍ ହୋଇଥିଲେ । ଏହାପରେ ଧାୱନଙ୍କ ସହ ଯୋଗ ଦେଇଥିଲେ ଶ୍ରୀଲଙ୍କା ବ୍ୟାଟର ଭାନୁକା ରାଜପକ୍ଷେ । ଦୁହେଁ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ବିଶେଷକରି ରାଜପକ୍ଷେ କ୍ରିଜକୁ ଓହ୍ଲାଇବା କ୍ଷଣି ସଟ୍ ଖେଳିବା ଆରମ୍ଭ କରିଥିଲେ । ସେ ୩୨ଟି ବଲରେ ୫ଟି ଚୌକା ଓ ୨ଟି ଛକା ସହ ବିସ୍ଫୋରକ ୫୦ ରନ୍ କରିଥିଲେ ।

ଧାୱନଙ୍କ ସହ ମିଶି ରାଜପେକ୍ଷ ଦ୍ୱିତୀୟ ୱିକେଟରେ ୮୬ ରନ୍ ଯୋଗ କରିଥିଲେ । ରାଜପେକ୍ଷଙ୍କୁ ଆଉଟ୍ କରି ଉମେଶ ଯାଦବ ଏହି ଯୋଡ଼ି ଭାଙ୍ଗିଥିଲେ । ଜିତେଶ ଶର୍ମା ୧୧ଟି ବଲରୁ ୨୧ ରନ୍ କରିଥିବା ବେଳେ କ୍ୟାପଟେନ୍ ଧାୱନ ୨୯ଟି ବଲରେ ୬ଟି ଚୌକା ସହ ୪୦ ରନ୍ କରି ଆଉଟ୍ ହୋଇଥିଲେ । ଶେଷ ଆଡ଼କୁ ସାମ୍ କରନ୍ ୧୭ଟି ବଲରେ ୨ଟି ଛକା ସହ ୨୬ ରନ୍ କରି ଅପରାଜିତ ରହିଥିବା ବେଳେ ଶାହରୁଖ ଖାନ୍ ୭ଟି ବଲରେ ୧୧ ରନ୍ କରି ଅପରାଜିତ ରହିଥିଲେ । କେକେଆର୍ ପକ୍ଷରୁ ଟିମ୍ ସାଉଦି ୨ଟି ୱିକେଟ୍ ନେଇଥିଲେ ।

Comments are closed.