ସ୍ପଷ୍ଟ କଲା ପଞ୍ଜାବ ପୋଲିସ – ଅମୃତପାଲ ସିଂ ଆତ୍ମସମର୍ପଣ କରିନାହିଁ, ଗିରଫ କରାଯାଇଛି

ଚଣ୍ଡିଗଡ଼: ଗତ ଏକ ମାସରୁ ଉର୍ଦ୍ଧ୍ବ ଦିନ ଧରି ଫେରାର ଥିବା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂକୁ ରବିବାର ସକାଳ ପ୍ରାୟ ୬.୪୫ରେ ପଞ୍ଜାବ ମୋଗା ଜିଲ୍ଲାର ରୋଡେ ଗ୍ରାମରୁ ଗିରଫ କରାଯାଇଛି ।

ପଞ୍ଜାବ ପୋଲିସର ଆଇଜିପି (ମୁଖ୍ୟାଳୟ) ସୁଖଚେନ ସିଂ ଗିଲ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗିରଫ ପରେ ଅମୃତପାଲ ସିଂଙ୍କୁ ଆସାମର ଦିବ୍ରୁଗଡ ଜେଲକୁ ପଠାଯାଇଛି।

ସେ ଏହା ସ୍ପଷ୍ଟ କରିଛନ୍ତି ଯେ ଅମୃତପାଲ ସିଂ ଆତ୍ମସମର୍ପଣ କରିନାହିଁ, ବରଂ ତାଙ୍କୁ ଗିରଫ କରାଯାଇଛି ।

ମୋଗା ଜିଲ୍ଲାର ରୋଡେ ହେଉଛି ଅପରେସନ୍ ବ୍ଲୁ ଷ୍ଟାର ସମୟରେ ନିହତ ହୋଇଥିବା ଖଲିସ୍ତାନ ଆତଙ୍କବାଦୀ ଜର୍ନେଲ ସିଂ ଭିନ୍ଦ୍ରନୱାଲେର ଗାଁ | ଗତ ବର୍ଷ ସେପ୍ଟେମ୍ବରରେ ଏହି ଗାଁରେ ହିଁ ଅମୃତପାଲକୁ ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା ।

ଗିଲ୍ କହିଛନ୍ତି, ଅମୃତପାଲ ସିଂର ଉପସ୍ଥିତି ନେଇ ସୂଚନା ପାଇବା ପରେ ପୋଲିସ ରୋଡେ ଗାଁକୁ ଚାରିଆଡୁ ଘେରାବନ୍ଦୀ କରିଥିଲା । ସେତେବେଳେ ଅମୃତପାଲ ସିଂ ଗୁରୁଦ୍ୱାର ସାହେବ ଭିତରେ ଥିଲା ।

ଗିଲ୍ କହିଛନ୍ତି, ଗୁରୁଦ୍ୱାର ସାହେବଙ୍କ ସମ୍ମାନ ସର୍ବୋପରି ତେଣୁ ଆମେ ଅମୃତପାଲକୁ ଏକ ମେସେଜ୍ ପଠାଇଥିଲୁ। ଅମୃତପାଲକୁ କୁହାଯାଇଥିଲା ଯେ ପୋଲିସ ଚାରିପଟୁ ଘେରି ରହିଛନ୍ତି । ତାର ସବୁ ରାସ୍ତା ବନ୍ଦ ହୋଇଯାଇଛି ।

ଏନ୍ଏସ୍ଏ ଅଧୀନରେ ଅମୃତପାଲ ସିଂଙ୍କ ବିରୋଧରେ ଜାରି କରାଯାଇଥିବା ସମସ୍ତ ୱାରେଣ୍ଟ ଆଜି ସକାଳେ କାର୍ଯ୍ୟକାରୀ କରାଯାଇଥିଲା। ଅମୃତପାଲକୁ ଧରିବା ପାଇଁ ପଞ୍ଜାବ ପୋଲିସ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ମିଳିତ ଭାବେ ଅପରେସନ୍ ଚଳାଇଥିଲେ ବୋଲି ଗିଲ୍ କହିଛନ୍ତି ।

ଆଇଜି ଗିଲ ଏହି ସମୟ ମଧ୍ୟରେ ପଞ୍ଜାବରେ ଶାନ୍ତି ବଜାୟ ରଖିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଯେଉଁମାନେ ରାଜ୍ୟର ମାହୋଲ ଖରାପ କରୁଛନ୍ତି ସେମାନଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି।

Comments are closed.