ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସର ଆକ୍ସନ୍, ୬ ସହଯୋଗୀ ଗିରଫ, ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ

ଚଣ୍ଡିଗଡ଼: ପଞ୍ଜାବ ପୋଲିସ ଖଲିସ୍ତାନୀ ସମର୍ଥକ ତଥା ‘ୱାରିସ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ ବଡ଼ ଆକ୍ସନ୍ ନେଇଛି । ପୋଲିସ ଅମୃତପାଲ ସିଂଙ୍କ ୬ ସହଯୋଗୀଙ୍କୁ ଗିରଫ କରିଛି। ପୋଲିସ ଦୁଇଟି ଗାଡ଼ି ଧରିଥିଲା, କିନ୍ତୁ ଅମୃତପାଲ ସିଂ ଖସି ପଳାଇବାରେ ସଫଳ ହୋଇଥିଲେ। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଧରପଗଡ ଚାଲିଛି ।

ସୂଚନା ମୁତାବକ ପଞ୍ଜାବ ପୋଲିସ ଅମୃତପାଲ ସିଂଙ୍କୁ ଗିରଫ କରିବା ପାଇଁ ତାଙ୍କ ଗାଡିର ପିଛା କରିଥିଲା । ପଞ୍ଜାବ ପୋଲିସ ଅମୃତପାଲ ସିଂଙ୍କ ବିରୋଧରେ ଘୃଣା ଭାଷଣ ସମେତ ତିନୋଟି ମାମଲା ରୁଜୁ କରିଛି। ଏହି ସମୟରେ ପଞ୍ଜାବର ଅନେକ ସ୍ଥାନରେ ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।

ବଠିଣ୍ଡା, ଅମୃତସରର ସହ ପଟିଆଲା, ମୋଗା, ମୋହାଲି ଜିଲ୍ଲାର ଅନେକ ସ୍ଥାନରେ ଇଣ୍ଟରନେଟ୍ ବନ୍ଦ ରହିଛି। ଲୋକଙ୍କ ଫୋନ୍ ଆସୁଛି, କିନ୍ତୁ ଇଣ୍ଟରନେଟ୍ କାମ କରୁନାହିଁ।

ଅମୃତପାଲ ନିଜର ମର୍ସିଡିଜ୍ କାର ଛାଡି ଫେରାର୍ ହୋଇ ଯାଇଛନ୍ତି। ଅମୃତପାଲଙ୍କୁ ଗିରଫ କରିବା ପାଇଁ ପଞ୍ଜାବର ଭଗଓ୍ବନ୍ତ ମାନ୍ ସରକାର ଉପରେ ଚାପ ବଢ଼ିବରେ ଲାଗିଥିଲା । ଅମୃତପାଲଙ୍କ ବିରୋଧରେ ଏନ୍ଏସ୍ଏ ଲଗାଇବାକୁ ମଧ୍ୟ ବିଚାର କରାଯାଉଥିବା ଜଣାପଡ଼ିଛି | ପୋଲିସ ଅମୃତପାଲ ସିଂଙ୍କ ସହଯୋଗୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ଶାନ୍ତି ଏବଂ ସଦ୍ଭାବ ରକ୍ଷା କରିବା ଏବଂ ମିଥ୍ୟା ଖବର ପ୍ରଚାର ନକରିବାକୁ ପଞ୍ଜାବ ପୋଲିସ ଲୋକଙ୍କୁ ଅନୁରୋଧ କରିଛି। ପଞ୍ଜାବ ପୋଲିସ ଟ୍ୱିଟ୍ କରି କହିଛି ଯେ ପଞ୍ଜାବ ପୋଲିସ ଆଇନ ଶୃଙ୍ଖଳା ରକ୍ଷା ପାଇଁ କାର୍ଯ୍ୟ କରୁଛି।

Comments are closed.