ରାଘବ ଚଢ଼ା-ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ | News Room Odisha

ରାଘବ ଚଢ଼ା-ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ନିର୍ବନ୍ଧ ଶନିବାର ସମ୍ପନ୍ନ ହୋଇଛି। ନିର୍ବନ୍ଧ କାର୍ଯ୍ୟକ୍ରମ ଦିଲ୍ଲୀର କପୁରତଲା ହାଉସରେ ଧୁମଧାମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପରିଣୀତିଙ୍କ ମାଉସୀ ଝିଅ ଭଉଣୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ବହୁ ରାଜନେତା ଓ ସେଲିବ୍ରିଟି ଯୋଗ ଦେଇଥିଲେ । ରାଘବ ଚଢ଼ାଙ୍କ ସହ ନିର୍ବନ୍ଧର ଫଟୋ ପରିଣୀତି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ରାଘବ-ପରିଣୀତି ନିର୍ବନ୍ଧ ଉତ୍ସବରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍, ଆଦିତ୍ୟ ଠାକରେ, କପିଲ ସିବଲ, ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରା, କଂଗ୍ରେସ ସାଂସଦ ରାଜୀବ ଶୁକ୍ଲା, ମେଘାଳୟର ମୁଖ୍ୟମନ୍ତ୍ରୀ ସି.କେ ସାଙ୍ଗମା, କଂଗ୍ରେସ ନେତା ପି ଚିଦାମ୍ବରମ୍ ପ୍ରମୁଖ ଭିଆଇପି ଯୋଗ ଦେଇଥିଲେ।

ରାଘବ ଚଢ଼ା ସମ୍ପ୍ରତି ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ‌ ଅଛନ୍ତି । ରାଘବ ୨୦୧୨ରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଆପରେ ଯୋଗଦେବା ପରେ ତାଙ୍କୁ ଦଳର କୋଷାଧ୍ୟକ୍ଷ କରାଯାଇଥିଲା। କାରଣ ରାଜନୀତିରେ ଯୋଗଦେବା ପୂର୍ବରୁ ରାଘବ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ସେ ମଧ୍ୟ କିଛି ସମୟ ପାଇଁ ମନୀଷ ସିସୋଦିଆଙ୍କ ପରାମର୍ଶଦାତା ଥିଲେ |

୨୦୧୮ରେ ତାଙ୍କୁ ଦକ୍ଷିଣ ଦିଲ୍ଲୀର ଦାୟିତ୍ୱରେ ରଖାଯାଇଥିଲା । ୨୦୧୯ରେ ରାଘବ ଚଢ଼ା ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ରମେଶ ବିଧୁରୀଙ୍କ ଠାରୁ ହାରିଯାଇଥିଲେ । ଫେବୃଆରୀ ୨୦୨୦ରେ ସେ ଦିଲ୍ଲୀର ରାଜୀନ୍ଦର ନଗର ବିଧାନସଭା ଆସନରୁ ଲଢି ଜିତିଥିଲେ । ୨୦୨୧ରେ ଦଳ ତାଙ୍କୁ ପଞ୍ଜାବରୁ ରାଜ୍ୟସଭା ସାଂସଦ ଭାବରେ ମନୋନୀତ କରିଥିଲା । ସେ ରାଜ୍ୟସଭାର ସର୍ବକନିଷ୍ଠ ସଦସ୍ୟ ହୋଇଥିଲେ।