ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ: ଗରିବଙ୍କ ସମ୍ବଳ ଦେଶର କିଛି ଧନୀ ଲୋକଙ୍କୁ ବାଣ୍ଟି ଦିଆଯାଉଛି

ଅହମ୍ମଦାବାଦ: ଆସନ୍ତା ବର୍ଷ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ଏହାର ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି। ମଙ୍ଗଳବାର ଆଦିବାସୀ ସତ୍ୟଗ୍ରାହ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ରାହୁଲ କହିଛନ୍ତି, ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଯାହା କହୁଥିଲେ ତାହା ଏବେ ପ୍ରଧାନମନ୍ତ୍ରୀ ଭାବେ କରୁଛନ୍ତି । ସେ ଦୁଇଟି ଭାରତ ସୃଷ୍ଟି କରୁଛନ୍ତି । ଗୋଟିଏ ଧନୀଙ୍କ ପାଇଁ ଓ ଅନ୍ୟଟି ଗରିବଙ୍କ ପାଇଁ । ଏହି ଦେଶର ସମ୍ବଳ ଗରିବଙ୍କର ଅଟେ । କିନ୍ତୁ ସେଗୁଡିକ କିଛି ହାତଗଣତି ଧନୀ ଲୋକଙ୍କୁ ବାଣ୍ଟି ଦିଆଯାଉଛି ।

ରାଜ୍ୟର ଦାହୋଦ ଜିଲ୍ଲାର ଆଦିବାସୀ ସତ୍ୟଗ୍ରାହ ରାଲିକୁ ସମ୍ବୋଧନ କରି ରାହୁଲ କହିଛନ୍ତି, ଗୁଜରାଟର ପ୍ରତ୍ୟକ
ଇଟାକୁ ଆଦିବାସୀମାନେ ସେମାନଙ୍କ ରକ୍ତ ଓ ଝାଳ ଦେଇ ତିଆରି କରିଛନ୍ତି। କିନ୍ତୁ ସେମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରାଯାଉଛି। ଆଦିବାସୀ ହେଉଛି ଜଳ, ଜଙ୍ଗଲ ଏବଂ ଜମିର ଏକ ଆନ୍ଦୋଳନ | ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଗୁଜରାଟର କଂଗ୍ରେସ ଯଦି ସରକାର ଗଢ଼େ ତେବେ ଆଦିବାସୀଙ୍କ ସ୍ୱର ଏବଂ ଇଚ୍ଛା ଅନୁସାରେ କାମ ହେବ।

ବଡଗାମ ବିଧାୟକ ଜିଗ୍ନେଶ ମେବାନୀଙ୍କ ବିଷୟରେ ରାହୁଲ କହିଛନ୍ତି ଯେ ଗୁଜୁରାଟ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଆମକୁ ବିରୋଧ ପାଇଁ ଅନୁମତି ନେବାକୁ ପଡିବ। ଏହି କାରଣରୁ ଜିଗ୍ନେଶ ମେବାନୀଙ୍କୁ ତିନି ମାସ ଜେଲରେ ରହିବାକୁ ପଡିଲା। କିନ୍ତୁ ଯଦି ତାଙ୍କୁ ଦଶ ବର୍ଷ ପର୍ଯ୍ୟନ୍ତ ଜେଲରେ ରଖାଯାଏ, ତେବେ ସେ ନଇଁବେ ନାହିଁ।

Comments are closed.