‘ବିଜେପି ସାରା ଦେଶରେ କିରୋସିନି ଛିଞ୍ଚି ରଖିଛି’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପି ଦେଶରେ ଘୃଣାର ବାତାବରଣ ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି ଯେ ବିଜେପି ସାରା ଦେଶରେ କିରୋସିନି ଛିଞ୍ଚି ରଖିଛି । ଗୋଟିଏ ନିଆଁ ଝୁଲରେ ସାରା ଦେଶ ଜଳି ଉଠିବ। ରାହୁଲ କହିଛନ୍ତି ଦେଶର ଅବସ୍ଥା ଭଲ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀ କାହା କଥା ଶୁଣନ୍ତି ନାହିଁ। ଲୋକଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରାଯାଉଛି ବୋଲି ଲଣ୍ଡନର କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ‘ଆଇଡିଆ ଫର ଇଣ୍ଡିଆ’ କାର୍ଯ୍ୟକ୍ରମରେ କହିଛନ୍ତି ରାହୁଲ ।

ଚୀନ୍ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ। ଚୀନ୍ ସେନା ଲଦାଖରେ ପ୍ରବେଶ କରିସାରିଛି ବୋଲି ସେ କହିଛନ୍ତି । ଏଲ୍ଏସି ବିବାଦକୁ ସେ ରୁଷୋ-ୟୁକ୍ରେନ ଯୁଦ୍ଧ ସହିତ ଯୋଡ଼ିଛନ୍ତି |

ରାହୁଲ ଦାବି କରିଛନ୍ତି ଯେ ଚୀନ୍ ଲଦାଖରେ ସମାନ ପରିସ୍ଥିତି ସୃଷ୍ଟି କରିଛି ଯାହା ରୁଷ୍ ୟୁକ୍ରେନରେ କରୁଛି। ଏହି କଂଗ୍ରେସ ନେତା କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ଏ ବିଷୟରେ କଥାବାର୍ତ୍ତା କରିବାକୁ ମଧ୍ୟ ଚାହୁଁନାହାଁନ୍ତି। ଚୀନ୍‌ର ସୈନ୍ୟବାହିନୀ ଉଭୟ ଲଦାଖ ଏବଂ ଡୋକଲାମରେ ଅଛନ୍ତି। କିନ୍ତୁ ଭାରତ ସରକାର ଏହା ବିଷୟରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି।

ରାହୁଲ ପୁଣି ପରୋକ୍ଷରେ ଦେଶର କିଛି ହାତଗଣତି ବ୍ୟବସାୟୀ ଗୋଷ୍ଠୀର ଏକଚାଟିଆ କାରବାରକୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, ଗୋଟିଏ କମ୍ପାନୀ (ଆଦାନୀ ଗ୍ରୁପ୍) ଦେଶର ସମସ୍ତ ବିମାନ ବନ୍ଦର, ସମସ୍ତ ଭିତ୍ତିଭୂମି ନିୟନ୍ତ୍ରଣ କରିବା ଅତ୍ୟନ୍ତ ବିପଜ୍ଜନକ । ଦେଶରେ ଏପରି କେବେ ଦେଖିବାକୁ ମିଳିନଥିଲା | କ୍ଷମତା ଏବଂ ପୁଞ୍ଜିର ଏତେ ବଡ଼ କେନ୍ଦ୍ରୀକରଣ କେବେ ହୋଇନଥିଲା ।

Comments are closed.