ରାହୁଲ ଦ୍ରାବିଡ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ମୁମ୍ବାଇ: ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ହେବେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ । ଟି-୨୦ ବିଶ୍ୱକପ ପରେ ଦ୍ରାବିଡ ଏହି ହାଇ ପ୍ରୋଫାଇଲ୍ ଦାୟିତ୍ବ ଗ୍ରହଣ କରିବେ । ଏଥିପାଇଁ ଦ୍ରାବିଡ ରାଜି ହୋଇଥିବା ଜଣାପଡିଛି । ସେ ୨୦୨୩ ପର୍ଯ୍ୟନ୍ତ ଏହି ପଦରେ ରହିବେ | ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ଭାବେ ପାରସ ମାମ୍ବ୍ରେଙ୍କୁ ନିଯୁକ୍ତ କରାଯିବା ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ ଯେ ଟି-୨୦ ବିଶ୍ୱକପ ପରେ ମୁଖ୍ୟ କୋଚ୍ ‌‌ରବି ଶାସ୍ତ୍ରୀଙ୍କ ସମେତ ବୋଲିଂ କୋଚ୍ ଭରତ ଅରୁଣଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

ସୂଚନା ଅନୁଯାୟୀ, ଦୁବାଇରେ ଶୁକ୍ରବାର ଆଇପିଏଲ୍ ଫାଇନାଲ୍ ବେଳେ ବିସିସିଆଇ ସଚିବ ଜୟ ଶାହା ଏବଂ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହି ପ୍ରସଙ୍ଗରେ ରାହୁଲ ଦ୍ରାବିଡଙ୍କ ସହ କଥା ହୋଇଥିଲେ। ଭାରତୀୟ ଦଳର ମୁଖ୍ୟ କୋଚ୍ ହେବା ପାଇଁ ଗାଙ୍ଗୁଲି ଓ ଶାହଙ୍କ ପ୍ରସ୍ତାବରେ ଦ୍ରାବିଡ଼ ରାଜି ହୋଇଥିବା ଜଣାପଡିଛି ।

ଦ୍ରାବିଡ ଜାତୀୟ ଦଳର କୋଚ୍ ହେବାକୁ ପୂର୍ବରୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ବିସିସିଆଇର ଅନୁରୋଧ ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିବା ହଁ ଭରିଛନ୍ତି । ଯଦିଓ ବିସିସିଆଇ ଏନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ, ତେବେ ସୂତ୍ରରୁ ପ୍ରକାଶ ଯେ ରାହୁଲ ଦ୍ରାବିଡଙ୍କ ସହ ଭାରତୀୟ ବୋର୍ଡ ୨୦୨୩ ପର୍ଯ୍ୟନ୍ତ ଚୁକ୍ତି କରିପାରେ। ସୂଚନାନୁସାରେ, ଦ୍ରାବିଡ଼ ପୂର୍ବରୁ ଭାରତୀୟ ଜୁନିୟର ଦଳର କୋଚ୍ ଦାୟିତ୍ବ ତୁଲାଇଛନ୍ତି ଏବଂ ସମ୍ପ୍ରତି ନ୍ୟାସନାଲ କ୍ରିକେଟ୍ ଏକାଡେମୀ(ଏନସିଏ)ର ମୁଖ୍ୟ‌ ଅଛନ୍ତି। ତେବେ ଭାରତୀୟ ଦଳର କୋଚ୍ ପଦ ଗ୍ରହଣ କରିବାକୁ ଥିବାରୁ ସେ ଏନସିଏରୁ ଇସ୍ତଫା ଦେବା ସ୍ପଷ୍ଟ ହୋଇଛି ।

Comments are closed.