ନ୍ୟାସନାଲ ହେରାଲ୍ଡ ମାମଲା: ରାହୁଲ ଚତୁର୍ଥ ଥର ଇଡିରେ ହାଜର, ପଚରାଉଚରା ଜାରି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗତ ସପ୍ତାହରେ ଲଗାତାର ତିନି ଦିନ ପଚରାଉଚରା ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ତାଙ୍କୁ ପଚରାଉଚରା ଜାରି ରହିଛି |

ରାହୁଲ ଗାନ୍ଧୀ ସିଆରପିଏଫର “Z +” କାଟେଗୋରି ସୁରକ୍ଷା ସହିତ ପୃର୍ବାହ୍ନ ୧୧.୦୫ ମିନିଟରେ କେନ୍ଦ୍ରୀୟ ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡ୍ ଅସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ।

୫୨ ବର୍ଷୀୟ ଏହି କଂଗ୍ରେସ ନେତା ଗତ ସପ୍ତାହରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ଇଡି ଅଧିକାରୀଙ୍କ ଦ୍ବାରା ୩୦ ଘଣ୍ଟାରୁ ଅଧିକ ସମୟ ଧରି ଜେରାର ସମ୍ମୁଖୀନ ହୋଇଥିଲେ, ଯେଉଁଥିରେ ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

ଗତ ଶୁକ୍ରବାର ଦିନ ତାଙ୍କୁ ପୁଣି ଇଡିରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ତାଙ୍କ ମା’ ସୋନିଆ ଗାନ୍ଧୀ ଅସୁସ୍ଥ ଥିବାରୁ ଶୁକ୍ରବାର (ଜୁନ୍ ୧୭) ଧାର୍ଯ୍ୟ ଜେରାରୁ ତାଙ୍କୁ ଛାଡ଼ ଦେବାକୁ ଇଡି ଅଧିକାରୀଙ୍କୁ ଏକ ଚିଠି ଲେଖିଥିଲେ। ଇଡି ତାଙ୍କ ଅନୁରୋଧକୁ ଗ୍ରହଣ କରିଥିଲା ଏବଂ ଜୁନ୍ ୨୦ରେ ହାଜର ହେବାକୁ କହିଥିଲା ।

କୋଭିଡ-୧୯ ସହ ଜଡିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧୀଦଳ ନେତାଙ୍କ ବିରୋଧରେ ଆକ୍ରୋଶମୂଳକ ରାଜନୀତି କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Comments are closed.