ଟ୍ବିଟର ବାୟୋ ବଦଳାଇଲେ ରାହୁଲ ଗାନ୍ଧୀ, ଲେଖିଲେ ‘ଅଯୋଗ୍ୟ ସାଂସଦ’

ନୂଆଦିଲ୍ଲୀ: ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟରରେ ନିଜ ବାୟୋ ବଦଳାଇଛନ୍ତି । ସେ ଏବେ ନିଜ ବାୟୋରେ ନିଜକୁ ‘ଡିସକ୍ବାଲିଫାଏଡ୍ ଏମପି’ ବା ଜଣେ ଅଯୋଗ୍ୟ ସାଂସଦ ବୋଲି ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରତିବାଦରେ ଆଜି ଦଳର ନେତା ଓ କର୍ମୀମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦିନିକିଆ ସତ୍ୟଗ୍ରାହ ପାଳନ କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଦେଶର ସବୁ ରାଜ୍ୟ ତଥା ଜିଲ୍ଲା ସଦର ମହକୁମାରେ କଂଗ୍ରେସ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ‘ସଂକଳ୍ପ ସତ୍ୟାଗ୍ରହ’ ପାଳନ କରିବ ।

କଂଗ୍ରେସର ଏହି ‘ସଂକଳ୍ପ ସତ୍ୟାଗ୍ରହ’ରେ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଓ ଦଳର ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଛନ୍ତି ।

୨୦୧୯ର ଏକ ମାନହାନୀ ମାମଲାରେ ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ କରିଥିଲେ । କୋର୍ଟଙ୍କ ଏହି ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା। ରାହୁଲ ଗାନ୍ଧୀ କେରଳର ଓ୍ବାୟାନାଡ ଲୋକସଭା ଆସନରୁ ସାଂସଦ ଥିଲେ।

ସାଂସଦ ପଦ ରଦ୍ଦ ହେବା ପରେ ରାହୁଲ ଗାନ୍ଧୀ ଶନିବାର ତାଙ୍କ ପ୍ରଥମ ପ୍ରେସମିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ ‌। ରାହୁଲ କହିଥିଲେ, ସଂସଦରେ ଆଦାନୀ ଉପରେ ତାଙ୍କ ଭାଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡରିଯାଇଥିଲେ । ଏହି ପ୍ରସଙ୍ଗରେ ସେ ଆହୁରି କିଛି ଖୁଲାସା କରିବେ ବୋଲି ମୋଦୀ ଛାନିଆ ହୋଇଯାଇଥିଲେ । ତେଣୁ ତାଙ୍କୁ ଲୋକସଭାରୁ ଅଯୋଗ୍ୟ କରାଯାଇଛି ।

Comments are closed.