ନୂଆ ସଂସଦ ଭବନ ଉଦଘାଟନକୁ ପ୍ରଧାନମନ୍ତ୍ରୀ ରାଜ୍ୟାଭିଷେକ ବୋଲି ଭାବୁଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ନୂଆ ସଂସଦ ଭବନକୁ ଲୋକାର୍ପଣ କରିଛନ୍ତି। ନୂଆ ସଂସଦ ଭବନ ଉଦଘାଟନର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ଏକ ଟ୍ୱିଟ୍ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନର ଉଦଘାଟନୀ ଉତ୍ସବକୁ ରାଜ୍ୟାଭିଷେକ ବୋଲି ଭାବୁଛନ୍ତି ।

ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଲେଖିଛନ୍ତି, “ସଂସଦ ହେଉଛି ଲୋକଙ୍କ ସ୍ୱର! ସଂସଦ ଗୃହର ଉଦଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ରାଜ୍ୟାଭିଷେକ ଭାବୁଛନ୍ତି।”

ରାହୁଲ ଗାନ୍ଧୀଙ୍କ ଦଳ କଂଗ୍ରେସ ସମେତ ୨୦ଟି ଦଳ ନୂଆ ସଂସଦ ଭବନର ଉଦଘାଟନୀ ଉତ୍ସବକୁ ବର୍ଜନ କରିଥିଲେ। ବିଜେପି ନେତୃତ୍ୱାଧୀନ ଏନଡିଏ ଏପରି ନିଷ୍ପତ୍ତିକୁ “ଆମ ମହାନ ରାଷ୍ଟ୍ରର ଗଣତାନ୍ତ୍ରିକ ନୈତିକତା ଓ ସାମ୍ବିଧାନିକ ମୂଲ୍ୟବୋଧର ଅପମାନ” ବୋଲି କହିଛି।

ରାହୁଲ ଗାନ୍ଧୀ ଏହା ପୂର୍ବରୁ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଦ୍ବାରା ନବନିର୍ମିତ ସଂସଦ ଭବନର ଉଦଘାଟନ ନ କରିବା ଓ ତାଙ୍କୁ ସମାରୋହକୁ ନିମନ୍ତ୍ରଣ ନ କରିବା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରତି ଅପମାନ । ସେ ଆହୁରି କହିଥିଲେ ଯେ ସଂସଦ ଅହଙ୍କାରର ଇଟାରେ ନୁହେଁ ବରଂ ସାମ୍ବିଧାନିକ ମୂଲ୍ୟବୋଧର ମୂଳଦୁଆ ଉପରେ ନିର୍ମିତ।

Comments are closed.