ରାହୁଲ ଫିଟ୍ ଘୋଷିତ, ଜିମ୍ବାୱେ ସିରିଜରେ ନେବେ ଟିମ୍ ଇଣ୍ଡିଆର ନେତୃତ୍ଵ | News Room Odisha

ରାହୁଲ ଫିଟ୍ ଘୋଷିତ, ଜିମ୍ବାୱେ ସିରିଜରେ ନେବେ ଟିମ୍ ଇଣ୍ଡିଆର ନେତୃତ୍ଵ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଓପନର କେଏଲ୍ ରାହୁଲ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏହି ଗସ୍ତ ପାଇଁ ବିସିସିଆଇ ମେଡିକାଲ ଟିମ୍ ରାହୁଲଙ୍କୁ ଫିଟ୍ ଘୋଷଣା କରିବା ପରେ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସିନିୟର ଓପନର ଶିଖର ଧାୱନଙ୍କୁ ଏହି ସିରିଜ ପାଇଁ କ୍ୟାପଟେନ କରାଯାଇଥିଲା । ଧାୱନ ଏବେ ଏହି ସିରିଜରେ ଉପଅଧିନାୟକ ଦାୟିତ୍ୱ ତୁଲାଇବେ ।

ରାହୁଲଙ୍କ ନିକଟରେ ହାର୍ଣ୍ଣିଆ ଅସ୍ତ୍ରୋପଚାର ହୋଇଥିଲା । ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଖେଳିବେ ବୋଲି ଆଶା କରାଯାଉଥିଲା । ହେଲେ କରୋନା ସଂକ୍ରମିତ ହେବା ଯୋଗୁଁ ସେ ୱେଷ୍ଟଇଣ୍ଡିଜ ଗସ୍ତରୁ ବଞ୍ଚିତ ହୋଇଥିଲେ । କରୋନା ସଂକ୍ରମଣରୁ ସୁସ୍ଥ ହେବାକୁ ସମୟ ଲାଗିବାରୁ ରାହୁଲଙ୍କୁ ପ୍ରଥମେ ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳରେ ମନୋନୀତ କରାଯାଇନଥିଲା । କାରଣ ଏସିଆ କପ୍ ପାଇଁ ଉପଲବ୍ଧ ହେବା ଲାଗି ରାହୁଲ ସମ୍ପୂର୍ଣ୍ଣ ଫିଟ୍ ହୁଅନ୍ତୁ ବୋଲି ବିସିସିଆଇ ଚାହୁଁଥିଲା । ତେବେ ଫିଟନେସ୍ ଟେଷ୍ଟରେ ସଫଳ ହୋଇଥିବାରୁ ରାହୁଲଙ୍କୁ ବିସିସିଆଇ ମେଡିକାଲ ଟିମ୍ ଜିମ୍ବାୱେ ଗସ୍ତ ପାଇଁ ସବୁଜ ସଙ୍କେତ ଦେଇଛି ।

ରାହୁଲ ତିନୋଟି ଯାକ ଫର୍ମାଟରେ ରୋହିତ ଶର୍ମାଙ୍କ ଡେପୁଟି ଭାବେ ଦାୟିତ୍ୱ ତୁଲାଉଛନ୍ତି । ତେଣୁ ଫିଟ୍ ଘୋଷିତ ହେବା ପରେ ତାଙ୍କୁ ଜିମ୍ବାୱେ ସିରିଜ୍ ପାଇଁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ଫଳରେ ଧାୱନ ଏହି ସିରିଜରେ ରାହୁଲଙ୍କ ଡେପୁଟି ରହିବେ । ରାହୁଲ ଉପଲବ୍ଧ ହେବା ପରେ ଜିମ୍ବାୱେ ସିରିଜ ପାଇଁ ଭାରତୀୟ ଦଳରେ ଖେଳାଳିଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ରାହୁଲଙ୍କ ପାଇଁ କୌଣସି ଖେଳାଳିଙ୍କୁ ବାଦ୍ ଦିଆଯାଇ ନାହିଁ । ଅନ୍ୟପକ୍ଷେ ରାହୁଲ ଫେରିବା ପରେ ଯୁବ ଓପନର ଋତୁରାଜ ଗାଏକ୍ୱାଡ ଜିମ୍ବାୱେ ବିପକ୍ଷ ସିରିଜରେ ସୁଯୋଗ ପାଇବା ସମ୍ଭାବନା ହ୍ରାସ ପାଇଛି ।

ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରୁ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି, ରିଷଭ ପନ୍ତ, ଶ୍ରେୟସ ଆୟର, ଯଶପ୍ରୀତ ବୁମରା, ମହମ୍ମଦ ସାମି, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ବୁମରାଙ୍କ ପିଠିରେ ଆଘାତ ଯୋଗୁଁ ସେ ଅଗଷ୍ଟ ୨୭ରୁ ଆରମ୍ଭ ହେଉଥିବା ଏସିଆ କପରୁ ମଧ୍ୟ ବାଦ୍ ପଡ଼ିଛନ୍ତି ।

ଭାରତୀୟ ଦଳ: କେଏଲ୍ ରାହୁଲ (ଅଧିନାୟକ), ଶିଖର ଧାୱନ (ଉପଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁଭମାନ ଗିଲ୍‌, ଦୀପକ ହୁଡ଼ା, ରାହୁଲ ତ୍ରିପାଠୀ, ଇଶାନ କିଶାନ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଅବେଶ ଖାନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିିରାଜ, ଦୀପକ ଚହର ।