କୃଷକଙ୍କ ରେଳ ରୋକ ଆନ୍ଦୋଳନ: ଉତ୍ତର ରେଳବାଇ ଜୋନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ଅଟକି ରହିଛି ୫୦ ଟ୍ରେନ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସା ପାଇଁ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ଏବଂ ଗିରଫ କରିବା ଦାବିରେ ସଂଯୁକ୍ତ କିସାନ ମୋର୍ଚ୍ଚାର ‘୬ ଘଣ୍ଟିଆ ରେଳ ରୋକୋ’ ଆନ୍ଦୋଳନ ଆହ୍ବାନ କ୍ରମେ ସୋମବାର ସକାଳେ ପଞ୍ଜାବ ଓ ହରିୟାଣାର କୃଷକମାନେ ରେଳ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରେଳ ରୋକ ଆନ୍ଦୋଳନ ପାଇଁ ଉତ୍ତର ରେଳ ଜୋନର ୧୩୦ ଅଞ୍ଚଳରେ ପ୍ରଭାବ ପଡ଼ିଥିବା ବେଳେ ​ ପ୍ରାୟ ୫୦ ଟି ଟ୍ରେନ ଅଟକି ରହିଛନ୍ତି | ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଉତ୍ତର ପଶ୍ଚିମ ରେଳର ରାଜସ୍ଥାନ ଏବଂ ହରିୟାଣାର କେତେକ ସ୍ଥାନରେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଏହି ଦୁଇଟି ରାଜ୍ୟରେ ୨ଟି ଟ୍ରେନ୍ ବାତିଲ୍ ହୋଇଛି ଏବଂ ୧୩ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି | କୃଷକଙ୍କ ରେଳ ରୋକ ଯୋଗୁଁ ଏକ ଟ୍ରେନର ରୁଟ୍ ମଧ୍ୟ ବଦଳାଇବାକୁ ପଡ଼ିଥିଲା|

ଉତ୍ତର ରେଳ ଜୋନରେ ପ୍ରଭାବିତ ହୋଇଥିବା ଟ୍ରେନ୍ ଗୁଡିକ ମଧ୍ୟରେ ଚଣ୍ଡିଗଡ଼-ଫିରୋଜପୁର ଏକ୍ସପ୍ରେସ ଅନ୍ତର୍ଭୁକ୍ତ | ଏହି ଟ୍ରେନ୍ ସକାଳ ୭ଟାରେ ଲୁଧିଆନା ଛାଡିବାକୁ ଥିଲା, କିନ୍ତୁ ଅଧିକାରୀମାନେ କହିଛନ୍ତି ଯେ ଏହି ଟ୍ରେନ୍ ଫିରୋଜପୁର-ଲୁଧିଆନାରେ ଏବେ ବି ଛିଡା ହୋଇଛି। ବିକ୍ଷୋଭକାରୀଙ୍କ ପ୍ରଦର୍ଶନ କାରଣରୁ ନୂଆଦିଲ୍ଲୀ-ଅମୃତସର ଶତାବ୍ଦୀ ଏକ୍ସପ୍ରେସକୁ ମଧ୍ୟ ଶମ୍ଭୁ ଷ୍ଟେସନରେ ଅଟକାଇବାକୁ ପଡିଥିଲା।

Comments are closed.