ଉଦୟପୁର ହତ୍ୟାକାଣ୍ଡ: ଆଜି ଜୟପୁର ବନ୍ଦ, କହ୍ନେୟା ଲାଲଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ ଗେହଲୋଟ୍, ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ

ଜୟପୁର: ରାଜସ୍ଥାନରେ ଟେଲର କହ୍ନେୟା ଲାଲଙ୍କ ହତ୍ୟାର ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ଉଦୟପୁର ଯିବେ । ଗେହଲୋଟ୍ କହ୍ନେୟା ଲାଲଙ୍କ ପରିବାର ଲୋକଙ୍କୁ ଭେଟିବେ । ଗେହଲୋଟଙ୍କ ବ୍ୟତୀତ ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ, ଡିଜିପି ଏମଏଲ ଲାଠର୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉଦୟପୁର ଗସ୍ତ କରିବେ।

ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କ ଉଦୟପୁର ଗସ୍ତ ସ୍ଥିର ହୋଇଥିଲା ।

ମଙ୍ଗଳବାର ଅପରାହ୍ନରେ ଦୁଇଜଣ ମୁସଲିମ ଯୁବକ ଗ୍ରାହକ ପରିଚୟ ଦେଇ ତାଙ୍କ ଦୋକାନରେ ପଶି ଟେଲର କହ୍ନେୟା ଲାଲଙ୍କୁ ବିଭତ୍ସ ଭାବେ ଗଳା କାଟି ହତ୍ୟା କରିଥିଲେ। ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇଛି ବୋଲି ଏକ ଭିଡିଓରେ ସେମାନେ ଦାବି କରିଥିଲେ।

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି। ଘଟଣା ଦିନ ଏନଆଇଏ ଟିମ୍ ଉଦୟପୁରରେ ପହଞ୍ଚିଥିଲା। ରାଜ୍ୟ ସରକାର ଏବଂ ଅନୁସନ୍ଧାନକାରୀ ଏଜେନ୍ସି ଏଟିଏସ୍ ଦ୍ୱାରା ଗଠିତ ଏସଆଇଟି ମଧ୍ୟ ଏହି ଘଟଣାର ତଦନ୍ତରେ ଏନଆଇଏକୁ ସହଯୋଗ କରିବ।

ଅନ୍ୟପକ୍ଷରେ କହ୍ନେୟା ଲାଲଙ୍କ ହତ୍ୟା ପ୍ରତିବାଦରେ ଆଜି ଜୟପୁର ବନ୍ଦ ଡାକରା ଦିଆଯାଇଛି। କହ୍ନେୟା ଲାଲ ହତ୍ୟାକାଣ୍ଡ ବିରୋଧରେ ଜୁଲାଇ ୩ରେ ପୁଣି ବିଭିନ୍ନ ହିନ୍ଦୁ ସଂଗଠନ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ବାନ ଦେଇଛନ୍ତି ।

ଉଦୟପୁର ଗସ୍ତ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ସମସ୍ତ ଧାର୍ମିକ ନେତା, ଜନ ପ୍ରତିନିଧୀ, ସାମାଜିକ ସଂଗଠନ ଏବଂ ସାମାଜିକ କର୍ମୀଙ୍କୁ ସାମାଜିକ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି ।

ସୋସିଆଲ ମିଡିଆରେ ଏପରି କୌଣସି କଣ୍ଟେଣ୍ଟ କିମ୍ବା ଭିଡିଓ ସେୟାର ନକରିବାକୁ ଗେହଲୋଟ୍ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଯାହା ସମାଜରେ ଭୟ ଏବଂ ଅଶାନ୍ତି ସୃଷ୍ଟି କରୁଛି।

ହତ୍ୟା ପରେ ସମଗ୍ର ରାଜସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ଏବଂ ଉଦୟପୁର ସହ ରାଜ୍ୟର ସବୁ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି।

Comments are closed.