ମାଲାୟାଲମ୍ ଅଭିନେତା ବିଜୟ ବାବୁଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

କୋଚି: ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ପ୍ରଯୋଜକ ଓ ଅଭିନେତା ବିଜୟ ବାବୁଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି। ଅଭିନେତା ଚଳଚ୍ଚିତ୍ରରେ କାମ ଦେବାକୁ କହି ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କୋଜିକୋଡ ନିବାସୀ ପୀଡ଼ିତା ମହିଳା ବିଜୟ ବାବୁଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।

ମହିଳାଙ୍କ ଅଭିଯୋଗ ପ୍ରକାରେ, ବିଜୟ ବାବୁ ପ୍ରଥମେ ତାଙ୍କୁ ଚଳଚ୍ଚିତ୍ରରେ କାମ ଦେବେ ବୋଲି କହିଥିଲେ ଏବଂ ପରେ ତାଙ୍କୁ ତାଙ୍କ ଫ୍ଲାଟକୁ ଡାକି ତାଙ୍କ ସହିତ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ | ଅଭିନେତା ବିଜୟ ବାବୁଙ୍କ ବିରୋଧରେ ଏହି ମାମଲା ଏପ୍ରିଲ ୨୨ ରେ ରୁଜୁ ହୋଇଛି | ପୀଡିତା ଅଭିଯୋଗ କରିଛନ୍ତି ଯେ ଅଭିଯୋଗର ଚାରି ଦିନ ପରେ ମଧ୍ୟ ପୋଲିସ ଅଭିନେତାଙ୍କୁ ଏ ସମ୍ପର୍କରେ ଜେରା କରି ନାହିଁ। ବିଜୟ ବାବୁ କେଉଁଠାରେ ଅଛନ୍ତି ପୋଲିସ ମଧ୍ୟ ତାହା କହୁ ନାହିଁ। ତେବେ ଅଭିନେତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ବିଜୟ ବାବୁ ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ପ୍ରଡ୍ୟୁସର ଏବଂ ଅଭିନେତା | ଏହି ଅଭିନେତାଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି | ବିଜୟ ବାବୁ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କର ଫ୍ରାଇଡେ ଫିଲ୍ମ ହାଉସ୍ ନାମକ ଏକ ପ୍ରଡକ୍ସନ୍ କମ୍ପାନୀ ମଧ୍ୟ ଅଛି | ଏହି ପ୍ରଡକ୍ସନ୍ ହାଉସ ବ୍ୟିନରରେ ସେ ନୂଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

Comments are closed.