ଇଏମ୍ଆଇ ପୈଠ ବିଳମ୍ବ ନେଇ ବ୍ୟାଙ୍କ ଜରିମାନା ଉପରେ ଲାଗିବ ଅଙ୍କୁଶ, ଆରବିଆଇ ଆଣିବ ନୂଆ ନିୟମ

ନୂଆଦିଲ୍ଲୀ: ଲୋନ୍ ଇଏମ୍ଆଇ ପୈଠ କରିବାରେ ବିଳମ୍ବ ହେଲେ ବ୍ୟାଙ୍କ ଓ ଏନବିଏଫସି ମାନଙ୍କ ଦ୍ୱାରା ଲଗାଯାଉଥିବା ଜରିମାନା ଉପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନେଇଛି ଆରବିଆଇ ।ବ୍ୟାଙ୍କିଙ୍ଗ୍ ନିୟାମକ ଆରବିଆଇ ଗ୍ରାହକମାନଙ୍କ ଉପରେ ବ୍ୟାଙ୍କଗୁଡିକ ଲଗାଉଥିବା ଏଭଳି ପେନାଲ୍ଟି ଚାର୍ଜର ସୀମା ଧାର୍ଯ୍ୟ କରିବ । ଆରବିଆଇ କହିଛି ଯେ ବ୍ୟାଙ୍କ କିମ୍ବା ଏନବିଏଫସି ଏଭଳି ଜରିମାନାକୁ ନିଜ ଆୟର ମାଧ୍ୟମ କରିପାରିବେ ନାହିଁ।

ମୁଦ୍ରା ନୀତି ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବର୍ତ୍ତମାନ ବ୍ୟାଙ୍କ ଏବଂ ଅନ୍ୟ ନିୟନ୍ତ୍ରିତ ଆର୍ଥିକ ସଂସ୍ଥାମାନଙ୍କର ଋଣ କିସ୍ତି ପରିଶୋଧ ନକଲେ ଦଣ୍ଡବିଧାନ କରିବାର ନୀତି ରହିଛି। କିନ୍ତୁ ଜରିମାନା ମାମଲାରେ ଏହି ସଂସ୍ଥାଗୁଡ଼ିକ ଭିନ୍ନ ଭିନ୍ନ ନୀତି ଆପଣାଉଛନ୍ତି । କେତେକ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଙ୍କ ଅଧିକ ପେନାଲ୍ଟି ଚାର୍ଜ କରିଥାନ୍ତି । ଏଭଳି ସ୍ଥିତିରେ ଆରବିଆଇ ହିତାଧିକାରୀଙ୍କଠାରୁ ପେନାଲ୍ଟି ଚାର୍ଜ କରିବା, ଏହାକୁ ସୀମିତ ରଖିବା ଏବଂ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ପେନାଲ୍ଟି ଚାର୍ଜ ଲାଗୁ କରିବା ପାଇଁ ଗାଇଡ ଲାଇନ୍ ଜାରି କରିବ ।

ଋଣ ପରିଶୋଧରେ ବିଳମ୍ବ କିମ୍ବା ଖିଲାପ ପାଇଁ ପେନାଲ୍ଟି ଚାର୍ଜ ସୀମିତ ଏବଂ ସ୍ବଚ୍ଛ ହେବ। ଏବଂ ଏହା ଋଣ ସୁଧ ଉପରେ ଲାଗାଯାଉଥିବା ପେନାଲ୍ଟିର ସୁଧ ହାର ଭାବେ ଚାର୍ଜ କରାଯାଇପାରିବ ନାହିଁ । ପେନାଲ୍ଟି ଚାର୍ଜ ପୃଥକ ଭାବେ ଆଦାୟ ହେବ ଏବଂ ବକେୟା ମୂଳ ରାଶି ସହିତ ଯୋଡାଯିବ ନାହିଁ ।

ସମ୍ପ୍ରତି ଅନେକ ବ୍ୟାଙ୍କ ଏବଂ ଏନବିଏଫସି ଗୁଡ଼ିକର ଋଣ ପରିଶୋଧ ନକରିବା କିମ୍ବା ଇଏମ୍ଆଇ ପୈଠ କରିବାରେ ବିଳମ୍ବ ପାଇଁ ଋଣ ଉପରେ ସୁଧ ସହ ପେନାଲ୍ଟି ଚାର୍ଜ ଯୋଡି ଆଦାୟ କରୁଛନ୍ତି | କିଛି ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକ ମନଇଚ୍ଛା ପେନାଲ୍ଟି ଚାର୍ଜ ଆଦାୟ କରୁଛନ୍ତି । ଏଥିପାଇଁ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗ୍ରାହକମାନେ ନିୟାମକଙ୍କ ନିକଟରେ କ୍ରମାଗତ ଅଭିଯୋଗ ମଧ୍ୟ କରୁଛନ୍ତି | ଏହାକୁ ଦୃଷ୍ଟିରେ ରଖି ଆରବିଆଇ ଏ ସମ୍ପର୍କରେ ନିୟମ ଆଣିବାକୁ ନିଷ୍ପତ୍ତି ନେଇଛି।

Comments are closed.