ଆଇପିଏଲ୍: କେକେଆର୍ ବିପକ୍ଷ ମ୍ୟାଚରେ ନୀଳ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ ଆରସିବି, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୨୦ ସେପ୍ଟେମ୍ବରରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ ନୀଳ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ। ଆରସିବି ନିଜ‌ ପାରମ୍ପରିକ ନାଲି ଜର୍ସି ବଦଳରେ ଏହି ନୀଳ ଜର୍ସି ପିନ୍ଧିବା ପଛରେ ଏକ ମହତ୍ କାରଣ ଅଛି |

କୋଭିଡ-୧୯ ହିରୋ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ଆରସିବି ଖେଳାଳିମାନେ ଆଇପିଏଲ-୨୦୨୧ ଦ୍ବିତୀୟ ଭାଗର ପ୍ରଥମ ମ୍ୟାଚରେ ନୀଳ ଜର୍ସି ପିନ୍ଧିବେ | ମଙ୍ଗଳବାର ଆରସିବିର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ଘୋଷଣା କରାଯାଇଛି।

ଆରସିବି ଟ୍ୱିଟ୍ କରି କହିଛି, “ଆରସିବି ୨୦ ତାରିଖରେ କେକେଆର ବିପକ୍ଷ ମ୍ୟାଚରେ ନୀଳ ଜର୍ସି ପିନ୍ଧିବ। ଆମେ ଆରସିବିରେ କରୋନା ମହାମାରୀ ମୁକାବିଲାରେ ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କର ପିପିଇ କିଟ୍ ସହିତ ମେଳ ଖାଉଥିବା ନୀଳ ଜର୍ସି ପରିଧାନ କରି ଗୌରବାନ୍ୱିତ | କରୋନା ବିରୋଧରେ ଲଢେଇକୁ ଆଗେଇ ନେଉଥିବା ଫ୍ରଣ୍ଟଲାଇନ ଯୋଦ୍ଧାଙ୍କ ଅମୂଲ୍ୟ ସେବା ପ୍ରତି ଏହା ଏକ ଶ୍ରଦ୍ଧାଞ୍ଜଳି ହେବ ବୋଲି ଟ୍ବିଟରେ କୁହାଯାଇଛି | ଚଳିତ ବର୍ଷ ପ୍ରାରମ୍ଭରେ ଅଧିନାୟକ ବିରାଟ କୋହଲି ଘୋଷଣା କରିଥିଲେ ଯେ ବେଙ୍ଗାଲୁରୁ ତଥା ଦେଶର ଅନ୍ୟାନ୍ୟ ସହରରେ ଅକ୍ସିଜେନ ସମ୍ବନ୍ଧୀୟ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ନିମନ୍ତେ ତାଙ୍କ ଫ୍ରାଞ୍ଚାଇଜ୍ ଆର୍ଥିକ ସହାୟତା ଦେବ।
ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ସହରକୁ ସହାୟତା କରିବାକୁ ପ୍ରାୟ ୧୦୦ ୟୁନିଟ୍ ଅମ୍ଳଜାନ କନସେଣ୍ଟ୍ରେଟର ଯୋଗାଇବା ପାଇଁ ଆରସିବି ‘ଗିଭ୍ ଇଣ୍ଡିଆ ଫାଉଣ୍ଡେସନ’ ସହିତ ହାତ ମିଳାଇଥିଲା। ଗତ ବର୍ଷ ମହାମାରୀ ଆରମ୍ଭରୁ ଆରସିବିର ପ୍ୟାରେଣ୍ଟ୍ କମ୍ପାନୀ ଡିଆଗୋ ଇଣ୍ଡିଆ ୩ ଲକ୍ଷ ଲିଟର ସାନିଟାଇଜର ଉତ୍ପାଦନ କରି ବିତରଣ କରିଥିଲା ​​ଏବଂ ଭାରତୀୟ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ସହାୟତା ପାଇଁ ୭୫ କୋଟି ଟଙ୍କା ଦେଇଥିଲା।

ମେ’ରେ ଆଧାରୁ ସ୍ଥଗିତ ଥିବା ଆଇପିଏଲର ଚତୁର୍ଦ୍ଦଶ ସଂସ୍କରଣର ଦ୍ଵିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେଉଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ୧୯ସେପ୍ଟେମ୍ବରରେ ଏକ ବ୍ଲକବଷ୍ଟର ମ୍ୟାଚ୍ ସହ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ | ପରଦିନ କୋଲକାତା ଏବଂ ବାଙ୍ଗାଲୋର ଦଳ ଆବୁଧାବିରେ ଭେଟିବେ।

Comments are closed.