ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ୍ କରିବା ପାଇଁ ଦୀପିକା ପାଦୁକୋନଙ୍କୁ କାହିଁକି ମନୋନୀତ କରାଗଲା ? ରହିଛି ଏହି ଖାସ୍ କାରଣ | News Room Odisha

ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ୍ କରିବା ପାଇଁ ଦୀପିକା ପାଦୁକୋନଙ୍କୁ କାହିଁକି ମନୋନୀତ କରାଗଲା ? ରହିଛି ଏହି ଖାସ୍ କାରଣ

ନୂଆଦିଲ୍ଲୀ: ଫୁଟବଲ ଜଗତ ପାଇଁ ଡିସେମ୍ବର ୧୮ ଏକ ସ୍ମରଣୀୟ ଦିନ ଥିଲା । ଫିଫା ବିଶ୍ୱକପର ରୋମାଞ୍ଚକର ଫାଇନାଲରେ ଫ୍ରାନ୍ସକୁ ପେନାଲ୍ଟି ସୁଟ୍ ଆଉଟରେ ହରାଇ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ୩୬ ବର୍ଷ ପରେ ଟାଇଟଲ଼ ଜିତିଥିବା ବେଳେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏକ ଗୌରବମୟ ମୁହୂର୍ତ୍ତର ଅଂଶବିଶେଷ ହୋଇଥିଲେ । ପ୍ରଥମ ଗ୍ଲୋବାଲ ଷ୍ଟାର୍ ଭାବେ ଦୀପିକା ଫିଫା ବିଶ୍ୱକପ୍ ଟ୍ରଫି ଉନ୍ମୋଚନ କରିବାର ସୌଭାଗ୍ୟ ପାଇଥିଲେ। ଭାରତ ପାଇଁ ମଧ୍ୟ ଏହା ଏକ ଗର୍ବର ମୁହୂର୍ତ୍ତ ଥିଲା | ସ୍ପେନର ପୂର୍ବତନ ଗୋଲକିପର ତଥା ୨୦୧୦ ବିଶ୍ବକପ୍ ବିଜେତା ଇକର କାସିଲାସଙ୍କ ସହ ଦୀପିକା ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ୍ କରିଥିଲେ। ଫୁଟବଲ ସହିତ ଦୀପିକା ପାଦୁକୋନଙ୍କର କୌଣସି ସମ୍ପର୍କ ନାହିଁ | ଏଭଳି ସ୍ଥଳେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଟ୍ରଫି ଲଞ୍ଚ କରିବା ପାଇଁ ଦୀପିକାଙ୍କୁ କାହିଁକି ଆମନ୍ତ୍ରଣ କରାଯାଇଥିଲା ?

ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ଏହି ପ୍ରଶ୍ନ ପଚାରୁଛନ୍ତି । ଦୀପିକା ପାଦୁକୋନ ଏବଂ ଇକର କାସିଲାସ ଲୁସେଲ ଷ୍ଟାଡିୟମରେ ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ୍ କରିଥିଲେ।

ପ୍ରାୟ ୬.୧୭୫ କିଲୋଗ୍ରାମ ଓଜନର ଏହି ଟ୍ରଫି ୧୮ କ୍ୟାରେଟ୍ ସୁନାରେ ତିଆରି ହୋଇଛି | ସମସ୍ତେ ଏହି ଟ୍ରଫିକୁ ଛୁଇଁପାରିବେ ନାହିଁ | କେବଳ ସ୍ୱତନ୍ତ୍ର ଲୋକଙ୍କୁ ଏହି ଟ୍ରଫି ଛୁଇଁବାକୁ ଅନୁମତି ଦିଆଯାଇଛି | ଏହି ବିଶେଷ ବ୍ୟକ୍ତିଙ୍କ ତାଲିକାରେ ଦୀପିକା ପାଦୁକୋନ ଏବଂ ଇକର କାସିଲାସଙ୍କ ନାମ ମଧ୍ୟ ରହିଥିଲା ।

ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ କରିବା ପାଇଁ ଦୀପିକା ପାଦୁକୋନଙ୍କୁ ମନୋନୀତ କରାଯିବାର କାରଣ ହେଉଛି ଟ୍ରଫିର କେସ୍ ଯେଉଁ କମ୍ପାନୀ ଦ୍ଵାରା ତିଆରି କରାଯାଇଛି ଦୀପିକା ତାହାର ବ୍ରାଣ୍ଡ ଆମ୍ଵାସାଡର ଅଟନ୍ତି । ଗ୍ଲୋବାଲ୍ ଲଗଜରି ବ୍ରାଣ୍ଡ୍ ‘ଲୁଇ ଭ୍ୟୁଟନ୍’ ଫିଫା ବିଶ୍ୱକପ ଟ୍ରଫି କେସର ଡିଜାଇନ୍ ପ୍ରସ୍ତୁତ କରିଛି । ଏବଂ ଦୀପିକା ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର | ଏହାଛଡ଼ା ଦୀପିକା ଆହୁରି ଅନେକ ଆନ୍ତର୍ଜାତୀୟ ଲଗଜରି ବ୍ରାଣ୍ଡର ମଧ୍ୟ ପ୍ରତିନିଧିତ୍ଵ କରୁଛନ୍ତି। ଦୀପିକା ମଧ୍ୟ ଟାଇମ୍ ମାଗାଜିନର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଦୁଇଥର ସାମିଲ ହୋଇଛନ୍ତି ।

ଅନ୍ୟପକ୍ଷରେ ପ୍ରଫେସନାଲ କ୍ଷେତ୍ରରେ ଦୀପିକା, ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ’ରେ ନଜର ଆସିବେ । ଏହି ଫିଲ୍ମ ୨୫ ଜାନୁଆରୀ ୨୦୨୩ରେ ମୁକ୍ତିଲାଭ କରିବ । ତେବେ ରିଲିଜ୍ ପୂର୍ବରୁ ଏହି ଫିଲ୍ମକୁ ନେଇ କିଛି ବିବାଦ ସୃଷ୍ଟି ହୋଇଛି | କେତେକ ହିନ୍ଦୁ ସଂଗଠନ ‘ପଠାନ’ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦାବି କରୁଛନ୍ତି। ସେମାନଙ୍କ ଅଭିଯୋଗ ହେଲା ପଠାନ’ର’ ବେସରମ ରଙ୍ଗ ‘ଗୀତରେ ଦୀପିକା ପାଦୁକୋନ୍ ଗେରୁଆ ରଙ୍ଗର ବିକିନି ପିନ୍ଧି ହିନ୍ଦୁମାନଙ୍କ ଭାବନାକୁ କେବଳ ଆଘାତ ଦେଇନାହାଁନ୍ତି ବରଂ ଗେରୁଆ ରଙ୍ଗକୁ ମଧ୍ୟ ଅପମାନିତ କରିଛନ୍ତି।