ଟାଇମ୍ସ ସ୍କୋୟାରରେ ଅନାବରଣ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର ଚକର ବିଶାଳ ପ୍ରତିକୃତି | News Room Odisha

ଟାଇମ୍ସ ସ୍କୋୟାରରେ ଅନାବରଣ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର ଚକର ବିଶାଳ ପ୍ରତିକୃତି

ନ୍ୟୁୟର୍କ: ଭାରତର ୭୭ ତମ ସ୍ୱାଧୀନତା ଦିବସ ଅବସରରେ ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାର ତ୍ରିରଙ୍ଗା ଆଲୋକରେ ଝଲସିବା ସହ ଓଡ଼ିଶାର‌ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକର ୧,୮୦୦ କିଲୋଗ୍ରାମର ଏକ ପ୍ରତିକୃତିର ଏଠାରେ ଅନାବରଣ ହୋଇଛି |

ଭାରତର ସ୍ୱାଧୀନତା ଦିବସ ପାଳନ କରିବାକୁ ମଙ୍ଗଳବାର ନ୍ୟୁୟର୍କ ସିଟିର ଏହି ‌ଐତିହାସିକ ସ୍ଥଳରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ନ୍ୟୁୟର୍କରେ ଥିବା ଭାରତର ମହାବାଣିଜ୍ୟଦୂତ ରଣଧୀର ଜୈସୱାଲ ଟାଇମ୍ସ ସ୍କୋୟାରରେ “ଭାରତ ମାତା କି ଜୟ”, “ବନ୍ଦେ ମାତାରାମ” ଏବଂ “ଜୟ ହିନ୍ଦ୍” ସ୍ଲୋଗାନ ତଥା ଦେଶଭକ୍ତି ଗୀତ ମଧ୍ୟରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।ଏହି ପତାକା ଉତ୍ତୋଳନ ସମାରୋହ ଭାରତୀୟ ପ୍ରବାସୀ ସମୁଦାୟର ଏକ ପ୍ରମୁଖ ସଂଗଠନ ‘ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆସୋସିଏସନ୍ (ଏଫଆଇଏ)’ ଦ୍ବାରା ଆୟୋଜିତ ହୋଇଥିଲା । ଏଥିରେ ଖ୍ୟାତନାମା ସରୋଦ୍ ବାଦକ ଅମଜଦ ଅଲି ଖାନ, ସେଲିବ୍ରିଟି ସେଫ୍ (ରୋଷେୟା) ବିକାଶ ଖାନ୍ନା, ଏଫଆଇଆର ମୁଖ୍ୟ ଅଙ୍କୁର ବୈଦ୍ୟ, ଏଫଆଇଏ ସଭାପତି କେନି ଦେଶାଇ ପ୍ରମୁଖ ଯୋଗ ଦେଇଥିଲେ |

ଏହି ଅବସରରେ ଖାନ୍ନା ଏକ ସ୍ୱତନ୍ତ୍ର ଭାବେ ନିର୍ମିତ କୋଣାର୍କ ଚକର ପ୍ରତିକୃତି ଉନ୍ମୋଚନ କରିଥିଲେ । ନ୍ୟୁୟର୍କ ସହରରେ ଏହି ଚକ ପ୍ରତିକୃତି ନିର୍ମାଣ କରିବା ପାଇଁ ଖାନ୍ନାଙ୍କୁ ପ୍ରାୟ ପାଞ୍ଚ ବର୍ଷ ଲାଗିଥିଲା । ଏହାର ଅନାବରଣ ସହ ତାଙ୍କ ସ୍ୱପ୍ନ ସାକାର ହୋଇଛି । ବିଶେଷକରି ଭାରତର ସ୍ୱାଧୀନତା ଦିବସରେ ଟାଇମ୍ସ ସ୍କୋୟାରରେ ଏହି ପ୍ରତିକୃତି ଉନ୍ମୋଚନ ହେବା ତାଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ବୋଲି ସେ କହିଛନ୍ତି |

ଏହି ଚକ ପ୍ରତିକୃତି କାମ କୋଭିଡ୍-୧୯ ମହାମାରୀ ପୂର୍ବରୁ ଆରମ୍ଭ ହୋଇଥିଲା ଏବଂ ଏହାକୁ ଶେଷ କରିବାକୁ କାରିଗରମାନେ ନିରନ୍ତର କାର୍ଯ୍ୟ କରିଥିଲେ | କୋଣାର୍କ ମନ୍ଦିର ଚକର ଏହି ବିଶାଳ ପ୍ରତିକୃତି ନ୍ୟୁୟର୍କ ସହରରେ ଖାନ୍ନାଙ୍କ ନୂଆ ରେଷ୍ଟୁରାଣ୍ଟରେ ରଖାଯିବ |

ଏହି ଚକ ପ୍ରତିକୃତିର ଲମ୍ବ ୮ ଫୁଟ ହୋଇଥିବାବେଳେ ଚଉଡା ୬ ଫୁଟ ।‌ ଏହାର ଆନୁମାନିକ ଓଜନ ୧୮୦୦ କିଲୋଗ୍ରାମ | ଓଡିଶାର କୋଣାର୍କରେ ଅବସ୍ଥିତ ସୂର୍ଯ୍ୟ ମନ୍ଦିରର ମୂଳ ଚକ ପଥର ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ।

ଏହି ପ୍ରତିକୃତି ଟାଇମ୍ସ ସ୍କୋୟାରରେ ଏକ ସପ୍ତାହ ପାଇଁ ପ୍ରଦର୍ଶିତ ହେବ |