ଉତ୍ତରାଖଣ୍ଡ ଟନେଲ୍ ସଙ୍କଟ:‌ ଡ୍ରିଲିଂ ମେସିନରେ ସମସ୍ୟା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ | News Room Odisha

ଉତ୍ତରାଖଣ୍ଡ ଟନେଲ୍ ସଙ୍କଟ:‌ ଡ୍ରିଲିଂ ମେସିନରେ ସମସ୍ୟା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ମୁକ୍ତି ପାଇଁ ସମଗ୍ର ଦେଶ ଅପେକ୍ଷା କରି ରହିଛି। କିନ୍ତୁ ଡ୍ରିଲିଂ ମେସିନରେ ସମସ୍ୟା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି । ଏହାଛଡ଼ା ଷ୍ଟିଲ୍ ରଡ୍ ମଧ୍ୟ ବାଧକ ସାଜୁଛି |

ଗୁରୁବାର ମଧ୍ୟ ଏଭଳି ପ୍ରତିବନ୍ଧକର ସାମ୍ନା କରିଥିଲେ ଉଦ୍ଧାରକାରୀ ଦଳ । ଉଦ୍ଧାର କାର୍ଯ୍ୟର ଦ୍ୱାଦଶ ଦିନରେ ଆମେରିକାର ଅଗର ଡ୍ରିଲ ମେସିନକୁ ତିନିଥର ବନ୍ଦ କରିବାକୁ ପଡ଼ିଥିଲା। ସନ୍ଧ୍ୟାରେ ଡ୍ରିଲିଂ ସମୟରେ ପ୍ରବଳ କମ୍ପନ ଯୋଗୁଁ ମେସିନର ପ୍ଲାଟଫର୍ମରେ ଫାଟ ସୃଷ୍ଟି ହୋଇଥିଲା | ଏହା ପରେ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଡ୍ରିଲିଂକୁ ବନ୍ଦ ରଖାଯାଇଥିଲା। ତେବେ ବିଶେଷଜ୍ଞମାନେ ଆଜି ସକାଳ ୮ଟା ସୁଦ୍ଧା ଏହାର ମରାମତି କରିଛନ୍ତି । ଡ୍ରିଲିଂ ପୁଣି ଶୀଘ୍ର ଆରମ୍ଭ ହେବ |

ଡ୍ରିଲିଂ ସମୟରେ ଯଦି କୌଣସି ବାଧା ନ ଉପୁଜେ, ତେବେ ଆଜି ସନ୍ଧ୍ୟା ସୁଦ୍ଧା ୪୧ ଜଣ ଶ୍ରମିକଙ୍କୁ ବାହାର କରାଯାଇପାରେ | ଆଜି ଉଦ୍ଧାର କାର୍ଯ୍ୟର ୧୩ତମ ଦିନ । ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଆଉ ୧୬ ମିଟର ଡ୍ରିଲିଂ ବାକି ଅଛି, ଯାହା ଆଜି ଶେଷ ହେବ ବୋଲି ଆଶା କରାଯାଉଛି।

ଫସିଥିବା ଶ୍ରମିକ ଯେକୌଣସି ସମୟରେ ଉଦ୍ଧାର ହେବାକୁ ଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ୍ ସହ ଆବଶ୍ୟକୀୟ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଚିନ୍ୟାଲିସୌର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪୧ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଓ୍ବାର୍ଡ ପ୍ରସ୍ତୁତ କରାଯାଇଛି । ଟଣାସ୍ଥଳରେ ୩୦ ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯାଇଛି ।

ନଭେମ୍ବର ୧୨ରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪.୫ କିଲୋମିଟର ଲମ୍ବା ଟନେଲ ଭୁଶୁଡ଼ିବା କାରଣରୁ ୪୧ ଶ୍ରମିକ ଭିତରେ ଫସି ରହିଛନ୍ତି।