ଉଦ୍ଧାର ସମସ୍ତ ଶ୍ରମିକ ୨୪ ଘଣ୍ଟା ଡ଼ାକ୍ତରଙ୍କ ନିରୀକ୍ଷଣରେ ରହିବେ, ଏକ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା

ଡେରାଡୁନ: ଉତ୍ତରାଖଣ୍ଡ ସିଲ୍କିୟାରା ଟନେଲରୁ ୧୭ ଦିନ ପରେ ସୁରକ୍ଷିତ ଉଦ୍ଧାର ୪୧ ଶ୍ରମିକଙ୍କୁ ବର୍ତ୍ତମାନ ଚିନ୍ୟାଲିସୌର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ସେମାନେ ୨୪ ଘଣ୍ଟା ଡ଼ାକ୍ତରଙ୍କ ନିରୀକ୍ଷଣରେ ରହିବେ ।

ଏଠାରେ ଡାକ୍ତରମାନେ ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଡାକ୍ତରୀ ପରୀକ୍ଷାରେ ସବୁକିଛି ଠିକ୍ ହେବା ପରେ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଯିବ । ଅଧିକାଂଶ ଶ୍ରମିକ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଭଳି ରାଜ୍ୟରୁ ଆସିଛନ୍ତି।

ସିଲ୍କିୟାରା ଟନେଲ୍ ନିର୍ମାଣ କରୁଥିବା କମ୍ପାନୀ ନବୟୁଗ ଇଞ୍ଜିନିୟରିଂ କନଷ୍ଟ୍ରକସନ ଲିମିଟେଡ୍ (ଏନ୍ଇସିଏଲ୍) ମଧ୍ୟ ଶ୍ରମିକ ମାନଙ୍କୁ ଘରକୁ ପଠାଇବାରେ ସାହାଯ୍ୟ କରିବ |

ଦୀପାବଳି ଦିନ ତଥା ନଭେମ୍ବର ୧୨ ସକାଳ ପ୍ରାୟ ୫ଟା ବେଳେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସିଲ୍କିୟାରା ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୪୧ ଶ୍ରମିକ ଟନେଲରେ ଫସି ରହିଥିଲେ। ଟନେଲ୍ ଭିତରେ ୧୭ ଦିନ ଧରି ଜୀବନ ଓ ମୃତ୍ୟୁ ସହ ସଂଘର୍ଷ ପରେ ମଙ୍ଗଳବାର ରାତିରେ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିଲେ ।

ଶ୍ରମିକମାନଙ୍କ ଉଦ୍ଧାର ବେଳେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର‌ ସିଂହ ଧାମି ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଭି.କେ ସିଂହ ଉପସ୍ଥିତ ଥିଲେ। ଉତ୍ତରାଖଣ୍ଡ ସରକାର ସମସ୍ତ ଶ୍ରମିକଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

Comments are closed.