ଦରବୃଦ୍ଧିରୁ ମିଳୁନି ଆଶ୍ବସ୍ତି: ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୫୨ ପ୍ରତିଶତ, ତିନି ମାସରେ ସର୍ବୋଚ୍ଚ 

ନୂଆଦିଲ୍ଲୀ: ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ତିନି ମାସର ସର୍ବୋଚ୍ଚ ସ୍ତର ୬.୫୨ ପ୍ରତିଶତରେ ପହଞ୍ଚିଛି। ମୁଦ୍ରାସ୍ଫୀତି ପୁଣିଥରେ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ସୀମାର ବହୁ ଉପରେ ରହିଛି ।  ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ଡିସେମ୍ବରରେ ୫.୭୨ ପ୍ରତିଶତ ଓ ଜାନୁଆରୀ ୨୦୨୨ରେ ୬.୦୧ ପ୍ରତିଶତ ଥିଲା। ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ଜାନୁଆରୀରେ ୫.୯୪ ପ୍ରତିଶତ ରହିଛି ।  ଡିସେମ୍ବରରେ ଏହା ୪.୧୯ ପ୍ରତିଶତ ଥିଲା। ଏହାପୂର୍ବରୁ ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭ ପ୍ରତିଶତର ସର୍ବୋଚ୍ଚ ସ୍ତରରେ ରହିଥିଲା।  ରିଜର୍ଭ ବ୍ୟାଙ୍କ ମୁଖ୍ୟତଃ ମୁଦ୍ରା ନୀତି ଉପରେ ବିଚାର କରୁଥିବାବେଳେ ଖୁଚୁରା ମୁଦ୍ରାସ୍ଫୀତି ଉପରେ ନଜର ରଖିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ଉପରେ

ମୁଦ୍ରାସ୍ଫୀତି ୪ ପ୍ରତିଶତରେ ସୀମିତ ରଖିବା ଦାୟିତ୍ବ ରହିଛି । କିନ୍ତୁ ଆରବିଆଇର ଯଥାସମ୍ଭବ ଉଦ୍ୟମ ସତ୍ତ୍ୱେ ଦରବୃଦ୍ଧି ଉପରେ ଲଗାମ ଲାଗି ପାରୁନାହିଁ ।

ଏନ୍ଏସ୍ଓ ଦ୍ବାରା ଜାରି ତଥ୍ୟ ଅନୁଯାୟୀ ସହରାଞ୍ଚଳରେ ମୁଦ୍ରାସ୍ଫୀତି ୬% ରେ ପହଞ୍ଚିଥିବାବେଳେ ଡିସେମ୍ବରରେ ଏହା ୫.୩୯% ରହିଥିଲା । ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ଡିସେମ୍ବରରେ ୬.୦୫ ପ୍ରତିଶତ ଥିବାବେଳେ ଜାନୁଆରୀରେ ଏହା ୬.୮୫କୁ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳର ୧୧୮୧ ବଜାର ଏବଂ ସହରାଞ୍ଚଳର ୧୧୧୪ ବଜାରରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି |

Comments are closed.