ଦ୍ବିତୀୟ ଟେଷ୍ଟରୁ ବି ବାଦ୍ ପଡ଼ିଲେ ରୋହିତ | News Room Odisha

ଦ୍ବିତୀୟ ଟେଷ୍ଟରୁ ବି ବାଦ୍ ପଡ଼ିଲେ ରୋହିତ

ଢାକା: ଆଙ୍ଗୁଠି ଆଘାତରୁ ସମ୍ପୂର୍ଣ୍ଣରୂପେ ସୁସ୍ଥ ହୋଇନଥିବା ଯୋଗୁଁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ବାଦ୍ ଦିଆଯାଇଛି।

ଟେଷ୍ଟ ସିରିଜ ପୂର୍ବରୁ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ରୋହିତଙ୍କ ବାମ ବୁଢା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଭାରତୀୟ ଦଳ ଦିନିକିଆ ସିରିଜ୍ ୨-୧ରେ ହାରିଥିଲା।

ଆଘାତର ଚିକିତ୍ସା ପାଇଁ ରୋହିତ ମୁମ୍ବାଇ ଫେରିଥିଲେ ଏବଂ ସମ୍ପ୍ରତି ବିସିସିଆଇ ମେଡିକାଲ ଟିମର ତତ୍ତ୍ଵାବଧାନରେ ଅଛନ୍ତି।

ରୋହିତଙ୍କ ବ୍ୟତୀତ ତଳିପେଟ ମାଂସପେଶୀ ଟାଣି ହୋଇଯିବାରୁ ଦ୍ରୁତ ବୋଲର ନବଦୀପ ସାଇନି ମଧ୍ୟ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡିଛନ୍ତି।

ବିସିସିଆଇ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, “ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ସମ୍ପୂର୍ଣ୍ଣ ଫିଟନେସ୍ ସହ ବ୍ୟାଟିଂ ଏବଂ ଫିଲ୍ଡ କରିବାକୁ ଆଉ କିଛି ସମୟ ଲାଗିବ ବୋଲି ମେଡିକାଲ ଟିମ୍ କହିଛି । ସେ ତାଙ୍କର ଥଇଥାନ କାର୍ଯ୍ୟକ୍ରମ ଜାରି ରଖିବେ ଏବଂ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ପାଇଁ ଉପଲବ୍ଧ ହେବେ ନାହିଁ।”

ବିସିସିଆଇ କହିଛି, “ତଳିପେଟର ମାଂସପେଶୀ ଟାଣି ହୋଇଯିବା ଯୋଗୁଁ ନବଦୀପ ସାଇନିଙ୍କୁ ମଧ୍ୟ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯାଇଛି। ସାଇନି ବର୍ତ୍ତମାନ ତାଙ୍କ ଆଘାତ ସମସ୍ୟାକୁ ଠିକ୍ କରିବା ପାଇଁ ଏନସିଏ (ନ୍ୟାସନାଲ କ୍ରିକେଟ୍ ଏକାଡେମୀ)କୁ ଯିବେ।

ଲୋକେଶ ରାହୁଲଙ୍କ ନେତୃତ୍ୱରେ ଚଟୋଗ୍ରାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ୧୮୮ ରନରେ ଜିତିଥିଲା। ସେ ଦ୍ବିତୀୟ ଟେଷ୍ଟରେ ମଧ୍ୟ ଦଳର ନେତୃତ୍ୱ ନେବେ। ଦ୍ବିତୀୟ ଟେଷ୍ଟ ଡିସେମ୍ବର ୨୨ରୁ ଢାକାରେ ଖେଳାଯିବ ।

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ:
ଲୋକେଶ ରାହୁଲ (କ୍ୟାପଟେନ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର୍, ରିଷଭ ପନ୍ତ, କେ.ଏସ୍ ଭାରତ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ଷର ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ୍, ଉମେଶ ଯାଦବ, ଅଭିମନ୍ୟୁ ଈଶ୍ବରନ୍, ସୌରଭ କୁମାର, ଜୟଦେବ ଉନ୍ନାଡକଟ ।