ବିହାର ସ୍କୁଲ୍ କ୍ୟାଲେଣ୍ଡରକୁ ନେଇ ବିବାଦ, ଏଣିକି ଶୁକ୍ରବାର ଉର୍ଦ୍ଦୁ ବିଦ୍ୟାଳୟରେ ଛୁଟି, ଜନ୍ମାଷ୍ଟମୀ ଓ ରାମନବମୀ ଛୁଟି କଟିଲା

ପାଟନା: ରାଜ୍ୟ ଶିକ୍ଷା ବିଭାଗ ଜାରି କରିଥିବା ୨୦୨୪ ବର୍ଷର କ୍ୟାଲେଣ୍ଡର ନେଇ ବିହାରରେ ବିବାଦ ଦେଖାଦେଇଛି। ଏଥିରେ ଶୁକ୍ରବାରକୁ ମୁସଲିମ ବହୁଳ ଅଞ୍ଚଳ ଏବଂ ଉର୍ଦ୍ଦୁ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି। ତେବେ ଜନ୍ମାଷ୍ଟମୀ ଓ ରାମ ନବମୀ ଭଳି ହିନ୍ଦୁ ପର୍ବ ପାଇଁ ଏଣିକି ଛୁଟି ବାତିଲ କରାଯାଇଛି। ଏପରି ନିଷ୍ପତ୍ତି ନେଇ ନୀତିଶ କୁମାର ସରକାରଙ୍କୁ ବିଜେପି ସହ ବିରୋଧୀ ଦଳ ଟାର୍ଗେଟ କରିଛନ୍ତି। ନୀତିଶ ସରକାର ବିହାରକୁ ଏକ ଇସଲାମୀୟ ରାଷ୍ଟ୍ରରେ ପରିଣତ କରିଦେଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ନେତା ।

ବିହାର ଶିକ୍ଷା ବିଭାଗ ତରଫରୁ ଜାରି ନିର୍ଦ୍ଦେଶ ଅନୁଯାୟୀ ପ୍ରତି ଶୁକ୍ରବାର ଉର୍ଦ୍ଦୁ ବିଦ୍ୟାଳୟ ଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି। ଏହି କ୍ରମରେ କୁହାଯାଇଛି ଯେ ଯେଉଁ ଅଞ୍ଚଳରେ ମୁସଲମାନ ଜନସଂଖ୍ୟା ଅଧିକ, ସେଠାରେ ଏଣିକି ପ୍ରତି ଶୁକ୍ରବାର ଦିନ ଛୁଟିଦିନ ହେବ। ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

ଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ କ୍ୟାଲେଣ୍ଡରରେ ଇଦ୍ ଓ ବକ୍ରି ଇଦ୍ ଭଳି ମୁସଲିମ ପର୍ବ ପାଇଁ ଛୁଟିଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଦୁଇ ପର୍ବ ପାଇଁ ମାତ୍ର ଦୁଇ ଦିନ ଛୁଟି ମିଳୁଥିଲା । ହେଲେ ଏବେ ଛୁଟି ତିନି ଦିନ ବଢ଼ାଇ ଦିଆଯାଇଛି । ଏହାଛଡ଼ା ମହରମରେ ଦୁଇ ଦିନ ଛୁଟି ମିଳିବାକୁ ଥିବାବେଳେ ପ୍ରତ୍ୟେକ ଦିନ ସବ୍-ଏ-ବାରତ୍, ଚେହଲୁମ୍ ଓ ହଜରତ ମହମ୍ମଦ ସାହେବଙ୍କ ଜନ୍ମ ଜୟନ୍ତୀ ପାଇଁ ଗୋଟିଏ ଦିନ ଲେଖାଏଁ ଛୁଟି ମିଳିବ। ଅନ୍ୟପକ୍ଷରେ ରାକ୍ଷୀ, ତେଜ୍, ରାମନବମୀ, ମହାଶିବରାତ୍ରୀ, ତିଜ୍ ଓ ଜନ୍ମାଷ୍ଟମୀଙ୍କ ଛୁଟିଦିନ ରଦ୍ଦ କରାଯାଇଛି।

ଶିକ୍ଷା ବିଭାଗର ନିଷ୍ପତ୍ତି ପରେ ବିଜେପି ଏନେଇ ପ୍ରଶ୍ନ ଉଠାଇଛି। ବିଜେପି ସାଂସଦ ସୁଶୀଲ ମୋଦୀ କହିଛନ୍ତି, ନୀତିଶ କୁମାରଙ୍କ ସରକାରଙ୍କ ହିନ୍ଦୁ ବିରୋଧୀ ଆଭିମୁଖ୍ୟ ପଦାରେ ପଡିଯାଇଛି । ଏଭଳି ନିଷ୍ପତ୍ତି ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି | ମୁସଲମାନ ପର୍ବ ଛୁଟିଦିନ ବ ବଢ଼ିଥିବା ବେଳେ ହିନ୍ଦୁ ପର୍ବପର୍ବାଣୀ ପାଇଁ ଛୁଟି ହ୍ରାସ କରାଯାଇଛି ।

Comments are closed.