ରାହୁଲ ତେୱାଟିଆ : ବ୍ୟାଟିଂ ଅର୍ଡରରେ ପ୍ରମୋସନ ପରେ ରନ୍ ପାଇଁ ସଂଘର୍ଷ, ଶେଷରେ ସାଜିଲେ ମ୍ୟାଚ୍ ହୀରୋ, ହାଇସ୍କୋରିଂ ମ୍ୟାଚରେ ପଂଜାବକୁ ହରାଇଲା ରାଜସ୍ଥାନ | News Room Odisha

ରାହୁଲ ତେୱାଟିଆ : ବ୍ୟାଟିଂ ଅର୍ଡରରେ ପ୍ରମୋସନ ପରେ ରନ୍ ପାଇଁ ସଂଘର୍ଷ, ଶେଷରେ ସାଜିଲେ ମ୍ୟାଚ୍ ହୀରୋ, ହାଇସ୍କୋରିଂ ମ୍ୟାଚରେ ପଂଜାବକୁ ହରାଇଲା ରାଜସ୍ଥାନ

ସାରଜା- ବ୍ୟାଟିଂ ଅର୍ଡରରେ ପ୍ରମୋଟ କରାଯାଇଥିବା ରାହୁଲ ତେୱାଟିଆଙ୍କ ବିସ୍ଫୋରକ ଅର୍ଦ୍ଦଶତକ ଫଳରେ ରାଜସ୍ଥାନ ରୟାଲସ, କିଙ୍ଗସ ଇଲେଭେନ ପଂଜାବକୁ ୪ ୱିକେଟରେ ହରାଇ ଆଇପିଏଲ ସିଜନ ୧୩ରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି । ପଂଜାବ ଦ୍ୱାରା ଧାର୍ଯ୍ୟ ୨୨୪ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିଲା ରାଜସ୍ଥାନ ।

ବଟଲର ଶସ୍ତାରେ ପ୍ୟାଭିଲିୟନ ଫେରିଯିବା ପରେ ଅଧିନାୟକ ସ୍ମିଥ ଓ ସଂଜୁ ସାମସନ ଉନ୍ନତ ସ୍କୋରିଂ ରେଟ୍ ସହ ବ୍ୟାଟିଂ କରୁଥିଲେ । ତେବେ ସ୍ମିଥ ଆଉଟ୍ ହେଲା ପରେ ତେୱାଟିଆଙ୍କୁ ବ୍ୟାଟିଂ ଅର୍ଡରରେ ପ୍ରମୋଟ କରାଯାଇଥିଲା । ତେବେ , ସେ ପ୍ରଥମେ ରନ୍ ଗତି ବଢାଇବାରେ ବିଫଳ ହୋଇଥିଲେ । ଏଥିପାଇଁ ସାମସନଙ୍କ ଉପରେ ଚାପ ପଡିଥିଲା । ମ୍ୟାଚ୍ ରାଜସ୍ଥାନ ହାତରୁ ଖସିଯାଇପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ ୧୮ତମ ଓଭରରେ ତେୱାଟିଆ ମ୍ୟାଚର ଗତି ପରିବର୍ତନ କରିଦେଇଥିଲେ । ଏହି ଓଭର ପୂର୍ବରୁ ସେ ୨୩ଟି ବଲରୁ ୧୭ ରନ୍ ହିଁ କରିପାରିଥିଲେ । କିନ୍ତୁ କଟ୍ରେଲ ବୋଲିଂ କରିଥିବା ୧୮ତମ ଓଭରରେ ୫ଟି ଛକା ମାରି ନିଜ ଦଳକୁ ବିଜୟର ନିକଟତର କରିଥିଲେ । ପରବର୍ତୀ ଓଭରରେ ସାମିଙ୍କ ବଲରେ ଛକା ମାରି ନିଜର ଅର୍ଧଶତକ ପୂରଣ କରିଥିଲେ ତେୱାଟିଆ । ୩୧ଟି ବଲ୍‌ରେ ୭ଟି ଛକାସହ ୫୩ ରନ୍ କରି ସେ ଆଉଟ୍ ହୋଇଥିଲେ । ଶେଷ ଓଭରରେ ଟମ୍ କରନ୍ ଏକ ଛକା ମାରି ବିଜୟର ଔପଚାରିକତା ପୂରଣ କରିଥିଲେ । ୧୯ ଓଭର ତିନିଟି ବଲରେ ୬ ୱିକେଟ ହରାଇ ରାଜସ୍ଥାନ ବିଜୟ ହାସଲ କରିଥିଲା ।

ଆଇପିଏଲ୍ ଇତିହାସରେ ସର୍ବାଧିକ ସଫଳ ରନ୍ ଚେଜ୍ କରି ରାଜସ୍ଥାନ ବିଜୟୀ ହୋଇଛି । ପୂର୍ବରୁ ମୟଙ୍କ ଅଗ୍ରୱାଲଙ୍କ ଶତକ ଓ ଅଧିନାୟକ ରାହୁଲଙ୍କ ଅର୍ଧଶତକ ବଳରେ ପଂଜାବ ତିନି ୱିକେଟ୍ ହରାଇ ୨୨୩ ରନର୍ ବଡ ସ୍କୋର କରିଥିଲା ।

ଆଇପିଏଲରେ ଆଜି ଏକ ହାଇପ୍ରୋଫାଇଲ ମ୍ୟାଚରେ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ କୋହଲୀଙ୍କ ଆରସିବି ମଧ୍ୟରେ ମୁକାବିଲା ହେବ ।