ପୂର୍ବ ୟୁକ୍ରେନରେ ଆକ୍ରମଣକୁ ଜୋରଦାର କଲା ରୁଷ, ବିଦେଶୀ ଅସ୍ତ୍ର ଯୋଗାଣ ଶୃଙ୍ଖଳକୁ ବି ଟାର୍ଗେଟ୍

କିଭ୍: ରୁଷର ସେନା ୟୁକ୍ରେନର ପଶ୍ଚିମ ଭାଗରେ ବିଦେଶୀ ଅସ୍ତ୍ରଶସ୍ତ୍ର ଯୋଗାଣ ଶୃଙ୍ଖଳକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ପୂର୍ବ ୟୁକ୍ରେନରେ ମଧ୍ୟ ରୁଷ ସେନା ଆକ୍ରମଣକୁ ଜୋରଦାର କରିଛି। ଅପରପକ୍ଷରେ ୟୁରୋପୀୟ ସଂଘ ଯୁଦ୍ଧ ପାଇଁ ରୁଷକୁ ଦଣ୍ଡ ଦେବା ପାଇଁ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛି।

ରୁଷୀୟ ସେନା କହିଛି ଯେ ୟୁକ୍ରେନର ପାଞ୍ଚଟି ରେଳ ଷ୍ଟେସନରେ ବିଦ୍ୟୁତ୍ ସୁବିଧା ନଷ୍ଟ କରିବା ପାଇଁ ସମୁଦ୍ର ଏବଂ ଆକାଶ ମାର୍ଗରୁ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି । ବିମାନ ଦ୍ବାରା ୟୁକ୍ରେନର ସାମରିକ ଘାଟି, ଇନ୍ଧନ ଏବଂ ଗୁଳିଗୋଳା ଡିପୋ ଉପରେ ମଧ୍ୟ ରୁଷ ଆକ୍ରମଣ ଜାରି ରଖିଛି। ଏହାଛଡ଼ା ରୁଷର ସୈନ୍ୟବାହିନୀ ମାରିୟୁପୋଲର ଏକ ଇସ୍ପାତ କାରଖାନାକୁ ଘେରାଉ କରିଛନ୍ତି, ଯେଉଁଠାରୁ ଗତ କିଛି ଦିନ ମଧ୍ୟରେ ଅନେକ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ଇସ୍ପାତ କାରଖାନା ଉପରେ ଆକ୍ରମଣ ଖବରକୁ ରୁଷର ଜଣେ ଅଧିକାରୀ ଅସ୍ୱୀକାର କରିଛନ୍ତି।

ସାମ୍ପ୍ରତିକ ସ୍ଥିତିକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୀମିତ ବିଜୟ ଘୋଷଣା କରିବେ ନା ଏକ ବ୍ୟାପକ ଯୁଦ୍ଧ ପାଇଁ “ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ”କୁ ବିସ୍ତାର କରିବେ ସେନେଇ ସମଗ୍ର ବିଶ୍ୱର ନଜର ପୁଟିନଙ୍କ ଉପରେ ରହିଛି । ପୂର୍ଣ୍ଣ ଯୁଦ୍ଧ ଘୋଷଣା କରି ପୁଟିନ ‘ସାମରିକ ଆଇନ’ କାର୍ଯ୍ୟକାରୀ କରିବାକୁ ସମର୍ଥ ହେବେ ଏବଂ ସେ ଯୁଦ୍ଧରେ ରିଜର୍ଭ ସୈନିକମାନଙ୍କୁ ମଧ୍ୟ ସାମିଲ କରିପାରନ୍ତି। ଅନ୍ୟପକ୍ଷରେ, ପାଶ୍ଚାତ୍ୟ ଅଧିକାରୀମାନେ କହିଛନ୍ତି ଯେ ୟୁକ୍ରେନ ସହ ଯୁଦ୍ଧରେ ବହୁ ସଂଖ୍ୟକ ରୁଷ ସୈନିକ ନିହତ ହୋଇଛନ୍ତି। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ବୁଧବାର ଏପରି ଦାବିକୁ ଖଣ୍ଡନ କରି ଏହାକୁ ମୂର୍ଖତା ବୋଲି କହିଛନ୍ତି।

Comments are closed.