୪୭ ବର୍ଷ ପରେ ମୁନ୍ ମିଶନ ଲଞ୍ଚ କଲା ରୁଷ

ନୂଆଦିଲ୍ଲୀ: ରୁଷର ସ୍ପେସ୍ ଏଜେନ୍ସି ରୋସ୍କୋମୋସ୍ ୧୯୭୬ ମସିହା ଅର୍ଥାତ୍ ୪୭ ବର୍ଷ ପରେ ପ୍ରଥମ ଥର ପାଇଁ ଚନ୍ଦ୍ରକୁ ନିଜ ମୁନ୍ ମିଶନ୍ ପଠାଇଛି | ରୁଷ ଆମୁର ଭୋଷ୍ଟୋଚେନ ସ୍ପେସ୍ ବନ୍ଦରରୁ ସକାଳ ୮.୧୦ରେ (ସ୍ଥାନୀୟ ସମୟ) ଲୁନା -୨୫ ଲ୍ୟାଣ୍ଡରକୁ ଚନ୍ଦ୍ର ଅଭିମୁଖେ ପ୍ରେରଣ କରିଛି | ଲୁନା -୨୫ ଅଗଷ୍ଟ ୨୧ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବ ବୋଲି ରୁଷୀୟ ମହାକାଶ ସଂସ୍ଥା ପକ୍ଷରୁ କୁହାଯାଇଛି।

ରୁଷ ଏହାର ଲୁନା-୨୫ ଲ୍ୟାଣ୍ଡରକୁ ସୋୟାଜ୍ ୨.୧ ବି ରକେଟ୍ ଦ୍ବାରା ଲଞ୍ଚ କରିଛି | ଏହି ରକେଟର ଲମ୍ବ ପ୍ରାୟ ୪୬.୩ ମିଟର ଓ ବ୍ୟାସ ୧୦.୩ ମିଟର | ଏହାର ଓଜନ ପ୍ରାୟ ୩୧୩ ଟନ୍ | ଏହି ମିଶନକୁ ଲୁନା-ଗ୍ଲୋବ ମିଶନ ମଧ୍ୟ କୁହାଯାଏ |

ଲୁନା-୨୫ ଲ୍ୟାଣ୍ଡର ସଂପୂର୍ଣ୍ଣ ଭାବେ ରୁଷରେ ନିର୍ମିତ ହୋଇଛି | ସୋଭିଏତ୍ ସଂଘ ଭାଙ୍ଗିବା ପରେ ରୁଷ ପ୍ରଥମ ଥର ଚନ୍ଦ୍ର ମିଶନ ପଠାଇଛି | ଏହାପୂର୍ବରୁ ତତ୍କାଳୀନ ସୋଭିଏତ୍ ସଂଘ ପକ୍ଷରୁ ସେପ୍ଟେମ୍ବର ୧୯୫୮ ରୁ ଅଗଷ୍ଟ ୧୯୭୬ ମଧ୍ୟରେ ୨୪ଟି ଚନ୍ଦ୍ର ମିଶନ ଲଞ୍ଚ କରିଥିଲା। ଯଦି ରୁଷର ଲୁନା-୨୫ ସଫଳତାର ସହିତ ଚନ୍ଦ୍ରରେ ଲ୍ୟାଣ୍ଡିଂ କରେ, ତେବେ ଏହା ଭାରତର ଚନ୍ଦ୍ରଯାନ-୩ ର ଦୁଇ ଦିନ ପୂର୍ବରୁ ଚନ୍ଦ୍ରରେ ପହଞ୍ଚିବ | ଭାରତ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ମିଶନ ଲଞ୍ଚ କରିଥିଲା ‌।

ଇତିହାସରେ ଏପର୍ଯ୍ୟନ୍ତ କେବଳ ତିନୋଟି ଦେଶ ଚନ୍ଦ୍ରରେ ଓହ୍ଲାଇବାରେ ସଫଳ ହୋଇଛନ୍ତି। ଏହି ତିନି ଦେଶ ହେଲେ ସୋଭିଏତ୍ ସଂଘ (ୟୁଏସ୍ଏସ୍ଆର୍), ଆମେରିକା ଏବଂ ଚୀନ୍ |

ୟୁକ୍ରେନ ଆକ୍ରମଣ ପରେ ରୁଷ ଉପରେ ଲାଗିଥିବା ପ୍ରତିବନ୍ଧକ ଯୋଗୁଁ ଏହାର ମହାକାଶ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଥିବା ବେଳେ ଏହି ଚନ୍ଦ୍ର ମିଶନ ରୁଷ ପାଇଁ ସମ୍ମାନର ବିଷୟ ହୋଇଛି ।

Comments are closed.