ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ : ଆଉ ଏକ ଆଫଗାନିସ୍ତାନ ହେବ କି ୟୁକ୍ରେନ? | News Room Odisha

ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ : ଆଉ ଏକ ଆଫଗାନିସ୍ତାନ ହେବ କି ୟୁକ୍ରେନ?

ନୂଆଦିଲ୍ଲୀ – ରୁଷ୍- ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିଛି। ୨୦୨୨ ଫେବ୍ରୁଆରୀ ୨୪ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସ୍ବତନ୍ତ୍ର ସାମରିକ ଅଭିଯାନ ଘୋଷଣା କରିବା ପରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ୟୁକ୍ରେନ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା। ମାତ୍ର ୟୁକ୍ରେନକୁ ମିଳିଥିଲା ଆମେରିକା ଓ ୟୁରୋପୀୟ ସଂଘ ରାଷ୍ଟ୍ରର ସହଯୋଗ । ଆଉ ଏହାପରେ ୟୁକ୍ରେନ ଜବାବୀ ଆକ୍ରମଣ ଜୋରଦାର କରିଥିଲା। ୟୁକ୍ରେନର ସାମରିକ ଓ ସାଧାରଣ ଜନବସତି ଉପରେ କ୍ଷେପଣାସ୍ତ୍ର ମାଡ କରିବା ଦ୍ବାରା ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ହଜାର ହଜାର ୟୁକ୍ରେନ ନାଗରିକ ଦେଶ ଛାଡି ପଡୋଶୀ ରାଷ୍ଟ୍ରକୁ ପଳାୟନ କରିଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ୟୁକ୍ରେନର ଖେରସନ, ମାରିଓପୋଲ ଓ ଡୋନବାସ ଭଳି ପ୍ରମୁଖ ଅଞ୍ଚଳ ରୁଷ୍ ନିୟନ୍ତ୍ରଣକୁ ଆସିଥିଲା। କିନ୍ତୁ ଋଷ ବିରୋଧୀ ପାଶ୍ଚାତ୍ୟ ଦେଶଗୁଡିକର ସମର୍ଥନ ବଳରେ ରାଷ୍ଟ୍ରପତି ଭ୍ଲାଦିମର ଜେଲେନସ୍କି ୟୁକ୍ରେନ ସେନାର ମନୋବଳ ବଢାଇ ଆକ୍ରମଣ ଜାରି ରଖିଥିଲେ। ବର୍ଷର ଶେଷ ଭାଗରେ ୟୁକ୍ରେନ ଜବାବୀ ଆକ୍ରମଣକୁ ଜୋରଦାର କରିଥିଲା। ୟୁକ୍ରେନର କଡ଼ା ପ୍ରତିରୋଧ ଯୋଗୁଁ ରୁଷ ସେନାର ଆତ୍ମବିଶ୍ବାସ ତୁଟି ଯାଇଥିଲା। ଏପରିକି ୟୁକ୍ରେନ ସେନା ରୁଷ୍ କବଳରୁ ଖେରସନ, ମାରିଓପୋଲ ଆଦି ଅଞ୍ଚଳକୁ ମୁକ୍ତ କରିବାରେ ସଫଳ ହୋଇଥିଲା।

ଏହି ଯୁଦ୍ଧରେ ପ୍ରାୟ ୧୦ହଜାର ଲୋକ ପ୍ରାଣ ହରାଇଲେଣି। ଯୁଦ୍ଧ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ୮୦ହଜାର ୟୁକ୍ରେନବାସୀ ଦେଶ ଛାଡି ପଳାଇଛନ୍ତି।

ୟୁକ୍ରେନ ବିରୋଧରେ ରୁଷ୍‌ର ସାମରିକ ଅଭିଯାନକୁ ନେଇ ବିଶ୍ବ ସମୁଦାୟ ପୁଟିନଙ୍କୁ ନିନ୍ଦା କରିଥିଲେ। ଏଥିପାଇଁ ମିଳିତ ଜାତିସଂଘରେ ରୁଷ୍ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା । ରୁଷ୍ ବିରୋଧରେ ଆମେରିକା ଓ ୟୁରୋପୀୟ ସଂଘ ବିଭିନ୍ନ କଟକଣା ଲାଗୁ କରିଥିଲେ। ଫଳରେ ରୁଷ୍ ବ୍ୟାପକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଯୁଦ୍ଧ ପରେ ରୁଷ୍‌ର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଛି।
ଯୁଦ୍ଧରେ ଭାରତ ଓ ଚୀନ ନିରପେକ୍ଷ ଭୂମିକା ନିର୍ବାହ କରିଆସୁଛନ୍ତି। ଯୁଦ୍ଧ ବନ୍ଦ କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ବାରମ୍ବାର ନିବେଦନ କରିଥିଲେ। ଯୁଦ୍ଧ ବନ୍ଦ କରି ବିବାଦକୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମୋଦି ପରାମର୍ଶ ଦେଇଥିଲେ। ଯୁଦ୍ଧରେ ଭାରତର ନିରପେକ୍ଷ ଭୂମିକା ବଳବତ୍ତର ରହିଥିବାବେଳେ ଚୀନ ଏବେ ରୁଷ୍‌ ଆଡକୁ ଢଳିବା ଆରମ୍ଭ କରିଛି।

ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବରେ ଖାଦ୍ୟ ଓ ଆର୍ଥିକ ସମସ୍ୟା ଦେଖାଯାଇଛି। କାରଣ ରୁଷ୍‌ ଓ ୟୁକ୍ରେନରୁ ଉତ୍ପାଦିତ ଖାଦ୍ୟଶସ୍ୟ ଉପରେ ବିଶ୍ବର ଅଧିକାଂଶ ରାଷ୍ଟ୍ର ନିର୍ଭରଶୀଳ। ଭାରତ ମଧ୍ୟ ଯୁଦ୍ଧ ଦ୍ବାରା କିଛିକାଂଶରେ ପ୍ରଭାବିତ ହୋଇଛି। ୟୁକ୍ରେନରେ ବହୁସଂଖ୍ୟକ ଭାରତୀୟ ଛାତ୍ର ଡାକ୍ତରୀ ଶିକ୍ଷା କରୁଥିବାବେଳେ ସେମାନେ ଏବେ ଫେରିଆସିଛନ୍ତି। ସେମାନଙ୍କ ପାଠପଢା ଏବେ ଅଧାରେ ଅଟକି ରହିଛି। ସେହିପରି ଯୁଦ୍ଧ ଯୋଗୁଁ ଭାରତରେ ଖାଇବା ତେଲର ଅହେତୁକ ଦରବୃଦ୍ଧି ଘଟିଥିଲା।

ଗତବର୍ଷ ଫେବ୍ରୁଆରୀ ୨୧ରେ ୟୁକ୍ରେନର ଡୋନବାସ ଅଞ୍ଚଳର ଦୁଇଟି ପ୍ରଦେଶ ଡୋନେକ୍ସ ଓ ଲୁହାନକ୍ସକୁ ରୁଷ୍ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିବା ପରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଦ୍ବିତୀୟତଃ ନାଟୋ ସଦସ୍ୟତା ପାଇଁ ୟୁକ୍ରେନର ଉଦ୍ୟମକୁ ରୁଷ୍ ବିରୋଧ କରିଥିଲା । କାରଣ ୟୁକ୍ରେନ ସୀମାରେ ନାଟୋ ସୈନ୍ୟ ମୁତୟନ ଦ୍ବାରା ରୁଷ୍ ପ୍ରତି ବଡ ବିପଦ ସୃଷ୍ଟି ହେବା ନେଇ ପୁଟିନ ଆଶଙ୍କା କରିଥିଲେ। ଯୁଦ୍ଧକୁ ବର୍ଷେ ପୂରିଥିଲେ ମଧ୍ୟ ଏହାର ଅନ୍ତ କେବେ ହେବ, ତାହା କେହି କହିପାରୁନାହାନ୍ତି। ଏବେ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କଲେଣି ଯେ, ୟୁକ୍ରେନ ନୂଆ ଆଫଗାନିସ୍ତାନରେ ପରିଣତ ହେବ ନାହିଁ ତ ?