ରୁଷର ମୁନ୍ ମିଶନ ବିଫଳ, ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ କ୍ରାଶ୍ ହେଲା ଲୁନା-୨୫

ମସ୍କୋ : ରୁଷର ମୁନ୍ ମିଶନକୁ ଲାଗିଛି ଝଟକା। ଏହାର ଲୁନା-୨୫ ମହାକାଶଯାନ ଚନ କ୍ରାଶ୍ ହୋଇଯାଇଛି। ଭାରତର ଚନ୍ଦ୍ରଯାନ-୩ ମିଶନର କିଛି ଦିନ ପରେ ଲୁନା-୨୫ର ଲଞ୍ଚ କରିଥିଲା ରୁଷ।

ଏହି ମାନବ ବିହୀନ ଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଆସନ୍ତାକାଲି ସଫ୍ଟ ଲ୍ୟାଣ୍ଡିଂ କରିବାର ଥିଲା । କିନ୍ତୁ ଏହା ଚନ୍ଦ୍ରପୃଷ୍ଠରେ କ୍ରାଶ୍ ହୋଇଯାଇଛି। ଏହି ମହାକାଶଯାନ ସହିତ ଯୋଗାଯୋଗ ବିଛିନ୍ନ ହୋଇଛି ।

ରୁଷର ମହାକାଶ ସଂସ୍ଥା ‘ରସକୋମୋସ୍’ ରବିବାର କହିଛି ଯେ, ଶନିବାର ଅପରାହ୍ନ ୧୪:୫୭ ପରେ ଲୁନା-୨୫ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

ଏକ ବିବୃତ୍ତିରେ କୁହାଯାଇଛି, ଲୁନା-୨୫ ଏକ ଅଜଣା କକ୍ଷପଥକୁ ଯାଇ ଚନ୍ଦ୍ରପୃଷ୍ଠରେ କ୍ରାସ୍ ହୋଇଯାଇଥିଲା | ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବା ପାଇଁ ରୁଷ ଓ ଭାରତର ଚନ୍ଦ୍ରଯାନ-୩ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା ।

ଭାରତର ଚନ୍ଦ୍ରଯାନ-୩ ଏଯାବତ୍‌ ଠିକ୍ ଠାକ୍ ଏହାର ଧାର୍ଯ୍ୟ ପଥରେ ଆଗେଇ ଚାଲିଛି। ଏହା ଅଗଷ୍ଟ ୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି ଆଶା କରାଯାଉଛି ।

ଏଯାବତ୍ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ସଫଳ ହୋଇ ନାହାଁନ୍ତି। ଯଦିଓ ଆମେରିକା ଏବଂ ଚୀନ୍ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛନ୍ତି।

ପ୍ରାୟ ୫୦ ବର୍ଷ ପରେ ରୁଷର ଏହା ପ୍ରଥମ ମୁନ୍ ମିଶନ ଥିଲା। ଏହି ମହାକାଶଯାନ ସୋମବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା । କିନ୍ତୁ ଏହା ବିଫଳ ହୋଇଛି।

Comments are closed.