ଓପନଏଆଇକୁ ଫେରିଲେ ସାମ୍ ଅଲ୍ଟମ୍ୟାନ୍

ଓ୍ୱାଶିଂଟନ: ଓପନଏଆଇକୁ ଫେରିଛନ୍ତି ସାମ୍ ଅଲ୍ଟମ୍ୟାନ୍ । କମ୍ପାନୀ ଏକ ବିବୃତିରେ ଏହି ସୂଚନା ଦେଇଛି । ଅଲ୍ଟମ୍ୟାନଙ୍କୁ ଓପନ୍ଏଆଇ ସିଇଓ ଭାବେ ପୁନଃ ଅବସ୍ଥାପିତ କରାଯିବ ।

ସାମ୍ ଅଲ୍ଟମ୍ୟାନ୍ ମଧ୍ୟ ଏକ ବିବୃତ୍ତି ଜାରି କରି କହିଛନ୍ତି, “ଯେତେବେଳେ ମୁଁ ରବିବାର ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲି, ସେତେବେଳେ ଏହା ମୋ ପାଇଁ ଓ ମୋର ଟିମ୍ ପାଇଁ ଠିକ୍ ରାସ୍ତା ବୋଲି ସ୍ପଷ୍ଟ ଥିଲା । ସତ୍ୟ (ନାଡେଲା) ଏବଂ ନୂଆ ବୋର୍ଡର ସହଯୋଗରେ ମୁଁ ଓପନ୍ଏଆକୁ ଫେରି ଆନନ୍ଦିତ । ”

ଓପନ୍ଏଆଇ ପ୍ରତିଷ୍ଠାତା ସାମ୍ ଅଲ୍ଟମ୍ୟାନଙ୍କୁ ଗତ ସପ୍ତାହରେ ତାଙ୍କ କମ୍ପାନୀ ହିଁ ବରଖାସ୍ତ କରିଥିଲା । ଅଲ୍ଟମ୍ୟାନଙ୍କ ନେତୃତ୍ବ ଉପରେ ଆଉ ଭରସା ନାହିଁ କହି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିଲ । ଏହି ଘଟଣା ଟେକ୍ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା ।

ଏହା ପରେ ମାଇକ୍ରୋସଫ୍ଟ ସୋମବାର ସାମ୍ ଅଲ୍ଟମ୍ୟାନଙ୍କୁ ଏକ ଅଫର୍ ଦେଇଥିଲା । ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ଏହି ଅଫର ମଧ୍ୟ ଅଲ୍ଟମ୍ୟାନ୍ ଗ୍ରହଣ କରିଥିଲେ।

ଅଲ୍ଟମ୍ୟାନଙ୍କ ବରଖାସ୍ତ ପରେ ଓପନ୍ଏଆଇ ବୋର୍ଡକୁ କର୍ମଚାରୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଅଲ୍ଟମ୍ୟାନଙ୍କୁ ବହିଷ୍କାର ପ୍ରତିବାଦରେ ବହୁ କର୍ମଚାରୀ କମ୍ପାନୀ ଛାଡ଼ି ଦେବେ ବୋଲି ଧମକ ଦେଇଥିଲେ । ବୁଧବାର କମ୍ପାନୀ ଅଲ୍ଟମ୍ୟାନଙ୍କ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି।

୨୦୨୨ରେ ଚାଟ୍‌ଜିପିଟି ଲଞ୍ଚ କରି ୩୮ ବର୍ଷୀୟ ଅଲ୍ଟମ୍ୟାନ୍ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲେ | ଅତି କମ୍ ସମୟ ମଧ୍ୟରେ ଚାଟ୍‌ଜିପିଟି ଲୋକପ୍ରିୟ ହୋଇପାରିଥିଲା | ଚାଟ୍‌ଜିପିଟି କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଏକ ଚାଟ୍‌ବଟ୍ ଯାହା କିଛି ସେକେଣ୍ଡ ମଧ୍ୟରେ ପ୍ରାୟ ସବୁ ବିଷୟ ସମ୍ପର୍କିତ ଉତ୍ତର ଦେଇପାରିବ ।

Comments are closed.