ପରସ୍ପର ଠାରୁ ଅଲଗା ହେଲେ ସାମନ୍ତା-ନାଗା ଚୈତନ୍ୟ, ଚାରି ବର୍ଷର ବିବାହରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ହାଇଦ୍ରାବାଦ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ତା ଏବଂ ଅଭିନେତା ନାଗା ଚୈତନ୍ୟ ଅକ୍କିନେନିଙ୍କ ଚାରି ବର୍ଷର ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସୋସିଆଲ ମିଡିଆରେ ଏନେଇ ଉଭୟ ସ୍ପଷ୍ଟ କରିଛନ୍ତି । ସାମନ୍ତା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଛନ୍ତି ଯେ ସେ ଏବଂ ନାଗା ସ୍ୱାମୀ-ସ୍ତ୍ରୀ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ଧରି ଉଭୟ ପରସ୍ପରକୁ ଛାଡପତ୍ର ଦେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏବେ ଉଭୟ ଅଲଗା ହେବା ନେଇ ସ୍ପଷ୍ଟ କରିଛନ୍ତି। ସାମନ୍ତା ଏବଂ ନାଗା ଚୈତନ୍ୟ ୨୦୧୭ରେ ବିବାହ କରିଥିଲେ |

ସାମନ୍ତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି – ବହୁ ବିଚାର ଏବଂ ଚିନ୍ତା କରିବା ପରେ ଚୈତନ୍ୟ ଏବଂ ମୁଁ ସ୍ୱାମୀ-ସ୍ତ୍ରୀ ଭାବରେ ଆମର ପଥ ଅଲଗା କରିବାକୁ ନିଷ୍ପତ୍ତି ନେଇଛୁ ଏବଂ ବର୍ତ୍ତମାନ ଆମେ ନିଜ ଦ୍ବାରା ସ୍ଥିର ପଥରେ ଚାଲିବୁ | ଆମେ ବହୁତ ଭାଗ୍ୟବାନ ଯେ ଆମେ ଗତ ଦଶ ବର୍ଷ ଧରି ବନ୍ଧୁ ହୋଇରହିଛୁ ଏବଂ ଏହି ବନ୍ଧୁତା ମଧ୍ୟ ଆମର ସମ୍ପର୍କର ଆଧାର ଥିଲା | ବନ୍ଧୁତ୍ୱର ଏହି ସମ୍ପର୍କ ଆମ ପାଇଁ ସର୍ବଦା ସ୍ୱତନ୍ତ୍ର ରହିବ | ଏହି କଠିଣ ସମୟରେ ଆମକୁ ସମର୍ଥନ କରିବାକୁ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ଆମକୁ ସମୟ ଏବଂ ଏକାନ୍ତ ଦେବାକୁ ଆମେ ଆମର ପ୍ରଶଂସକ, ଶୁଭେଚ୍ଛୁ ଏବଂ ଗଣମାଧ୍ୟମକୁ ପ୍ରାର୍ଥନା କରୁଛୁ | ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ।

ସାମନ୍ତା ଏବଂ ନାଗା ୨୦୧୦ରେ ଫିଲ୍ମ ‘ୟେ ମାୟା ଚେସାଭେ’ରେ ଏକାଠି କାମ କରିଥିଲେ । ଜାନୁଆରୀ ୨୦୧୭ରେ ହାଇଦ୍ରାବାଦରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା ଏବଂ ୬ ଅକ୍ଟୋବର ୨୦୧୭ରେ ଗୋଆରେ ବିବାହ କରିଥିଲେ । କିନ୍ତୁ ଜୁଲାଇରେ ସାମନ୍ତା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ତାଙ୍କ ନାମରୁ ନାଗା ଚୈତନ୍ୟଙ୍କ ପରିବାରର ସାଙ୍ଗିଆ ‘ଆକ୍କିନେନି’ ହଟାଇ ଦେଇଥିଲେ । ସେହି ଦିନଠାରୁ ଉଭୟଙ୍କ ଛାଡପତ୍ର ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।

Comments are closed.