ସଞ୍ଜୟ ରାଉତ‌ଙ୍କ ବଡ଼ ବୟାନ: ଯଦି ବିଦ୍ରୋହୀ ବିଧାୟକ ୨୪ ଘଣ୍ଟାରେ ଫେରନ୍ତି, ଶିବସେନା ସରକାରରୁ ଓହରିବାକୁ ପ୍ରସ୍ତୁତ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, “ମହାରାଷ୍ଟ୍ର ବାହାରେ ଥିବା ବିଧାୟକମାନେ ହିନ୍ଦୁତ୍ୱ ପ୍ରସଙ୍ଗ ଉଠାଇଛନ୍ତି। ଆମେ ଶିବସେନା ମୁଖ୍ୟଙ୍କ ସହ କଥା ହେବା ଉଚିତ୍। ସେହି ଦାବି ତାଙ୍କ ଆଗରେ ରଖାଯିବା ଉଚିତ | ଗୁଆହାଟୀରେ ବସି ଚିଠି ଲେଖିବା ଠିକ୍ ‌ ହେବନି | ବିଦ୍ରୋହୀ ବିଧାୟକ ମାନଙ୍କ ଦାବି ନିଶ୍ଚିତ ଭାବେ ବିଚାର କରାଯିବ | ଶିବସେନା ‘ମହାବିକାଶ ଅଘାଡି’ ସରକାରରୁ ଓହରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ଏଥିପାଇଁ ବିଧାୟକମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଫେରିବାକୁ ପଡିବ। ”

ସଞ୍ଜୟ ରାଉତଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ନେତା ପୃଥ୍ୱୀରାଜ ଚଭନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ଶିବସେନାର ପ୍ରକୃତ ଭୂମିକା ଆମେ ଜାଣି ନାହୁଁ। ଆଜି ଆମର ନେତୃବର୍ଗ ସହ ଆମର ଏକ ବୈଠକ ହୋଇଥିଲା। ଗତକାଲି ସେପରି କୌଣସି ପ୍ରସଙ୍ଗ ଉଠାଯାଇ ନଥିଲା। ଶିବସେନା ପୁଣି ଥରେ ବିଜେପି ସହ ହାତ ମିଳାଇବାକୁ ଚାହୁଁଛି କି ନାହିଁ ତାହା ସ୍ପଷ୍ଟ କରିବା ଉଚିତ।”

ତେବେ କଂଗ୍ରେସ ରାଜ୍ୟ ସଭାପତି ନାନା ପଟୋଲେ କହିଛନ୍ତି, “ବିଜେପିକୁ କ୍ଷମତାରୁ ଦୂରରେ ରଖିବା ପାଇଁ ଆମେ ଶିବସେନାଙ୍କ ସହ ଅଛୁ। ଇଡି କାରଣରୁ ଏହି ସବୁ ଖେଳ ହେଉଛି। ଫ୍ଲୋର୍ ଟେଷ୍ଟ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି। ଆମେ ଏମଭିଏ (ମହା ବିକାଶ ଅଘାଡି ମିଳିତ ମଞ୍ଚ) ସହ ଅଛୁ ଓ ରହିବୁ | ଯଦି ସେମାନେ (ଶିବସେନା) କାହା ସହିତ ଏକ ମେଣ୍ଟ କରିବାକୁ ଚାହାଁନ୍ତି, ତେବେ ଆମର କୌଣସି ଅସୁବିଧା ନାହିଁ | ”

ଅନ୍ୟପକ୍ଷରେ ଗୁଆହାଟୀର ଏକ ହୋଟେଲରେ ଉପସ୍ଥିତ ଥିବା ଏକନାଥ ସିନ୍ଦେ ୪୨ ଜଣ ବିଧାୟକଙ୍କ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏହି ଭିଡିଓରେ ବିଦ୍ରୋହୀ ବିଧାୟକମାନେ ‘ଏକନାଥ ସିନ୍ଦେ, ତୁମେ ଆଗକୁ ବଢ, ଆମେ ତୁମ ସହିତ ଅଛୁ’ ସ୍ଲୋଗାନ ଦେଉଥିବା ଶୁଣିବାକୁ ମିଳୁଛି।

Comments are closed.