ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ, ଆର୍ଜେଣ୍ଟିନାକୁ ୨-୧ରେ ହରାଇଲା ସାଉଦି ଆରବ

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ୱକପରେ ମଙ୍ଗଳବାର ବଡ଼ ବିପର୍ଯ୍ୟୟ ଘଟିଛି । ଗ୍ରୁପ୍ ସି’ର ଏକ ମ୍ୟାଚରେ ସାଉଦି ଆରବ ଦୁଇ ଥରରେ ଚାମ୍ପିୟନ ତଥା ଅନ୍ୟତମ ଟାଇଟଲ ଦାବିଦାର ଆର୍ଜେଣ୍ଟିନାକୁ ୨-୧ ଗୋଲରେ ହରାଇ ଦେଇଛି । ବିଶ୍ବକପ୍ ପୂର୍ବରୁ ଗତ ୩୬ଟି ମ୍ୟାଚରେ ଅପରାଜେୟ ରହିଥିବା ଆର୍ଜେଣ୍ଟିନାକୁ ଆରମ୍ଭରୁ ଲାଗିଛି ବଡ଼ ଝଟକା ।

ଷ୍ଟାର୍ ଖେଳାଳି ଲିଓନେଲ ମେସି ମ୍ୟାଚର ଦଶମ ମିନିଟରେ ଏକ ପେନାଲ୍ଟି କର୍ନରରୁ ଗୋଲ୍ ସ୍କୋର୍ କରି ଆର୍ଜେଣ୍ଟିନାକୁ ୧-୦ରେ ଅଗ୍ରଣୀ କରାଇଥିଲେ। ବିଶ୍ୱକପ ଇତିହାସରେ ଏହା ମେସିଙ୍କ ସପ୍ତମ ଗୋଲ ଥିଲା । ହେଲେ ସାଉଦି ଆରବ ଦ୍ଵିତୀୟାର୍ଦ୍ଧରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଆର୍ଜେଣ୍ଟିନାକୁ ସ୍ତବ୍ଧ କରିଦେଇଥିଲା ।

ପ୍ରଥମାର୍ଦ୍ଧରେ ପଛରେ ପଡ଼ିଯିବା ପରେ ସାଉଦି ଆରବ ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ୪୮ ତମ ମିନିଟରେ ଅଲ ବୁରେକାନଙ୍କ ପାସ୍‌ରୁ ସାଲେହ ଅଲଶେରି ଗୋଲ୍ କରି ସ୍କୋରକୁ ୧-୧ କରିଥିଲେ । ଏହାର କିଛି ମିନିଟ୍ ପରେ ସାଉଦି ଆରବ ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲା | ୫୩ ତମ ମିନିଟରେ ସାଲେମ ଆଲଦସାରି ଏକ ଚମତ୍କାର ଗୋଲ ସ୍କୋର କରି ସାଉଦି ଆରବକୁ ୨-୧ରେ ଅଗ୍ରଣୀ କରାଇଥିଲେ ।

ସ୍ତବ୍ଧ ଆର୍ଜେଣ୍ଟିନା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସ୍କୋରକୁ ବରାବର କରିବାକୁ ଯଥା ସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସାଉଦି ଆରବ ମେସିଙ୍କ ଦଳକୁ ଆଉ କୌଣସି ସୁଯୋଗ ନ ଦେଇ ଏହି ଐତିହାସିକ ବିଜୟ ନିଶ୍ଚିତ କରିଥିଲେ।

Comments are closed.