ନିଟ୍-ୟୁଜି ପରୀକ୍ଷା ଫଳ ଘୋଷଣା କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍-ୟୁଜି ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି। ଦୁଇ ଜଣ ଛାତ୍ରଙ୍କ ପିଟିସନ ଉପରେ ବମ୍ବେ ହାଇକୋର୍ଟ ନିଟ୍-ୟୁଜି ପରୀକ୍ଷା ଫଳ ଉପରେ ସ୍ଥଗିତାଦେଶ ଜାରି କରିଥିଲେ | ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁଇ ଜଣ ଛାତ୍ରଙ୍କ ପାଇଁ ପରୀକ୍ଷା ଫଳକୁ ଅଟକାଇ ଦିଆଯାଇପାରିବ ନାହିଁ। ୧୬ ଲକ୍ଷ ଛାତ୍ରଛାତ୍ରୀ ଉତ୍ସାହର ସହିତ ପରୀକ୍ଷା ଫଳକୁ ଅପେକ୍ଷା କରିଛନ୍ତି | ଆମକୁ ସମସ୍ତଙ୍କ ସ୍ୱାର୍ଥକୁ ସମାନ ଗୁରୁତ୍ଵ ଦେବାକୁ ପଡ଼ିବ | ଶୁଣାଣି ସମୟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ, ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ କହିଥିଲେ ଯେ ଯଦିଓ ଆମେ ମାନୁଛୁ ଯେ ପରୀକ୍ଷା ଫଳ ଘୋଷଣାକୁ ରୋକାଯାଇପାରିବ ନାହିଁ, ଏହି ଦୁଇ ଛାତ୍ରଙ୍କ ସ୍ୱାର୍ଥକୁ ମଧ୍ୟ ସୁରକ୍ଷା ଦିଆଯିବା ଉଚିତ, ଏହାକୁ ଅଣଦେଖା କରିହେବ ନାହିଁ। ଆପଣଙ୍କର ଇନଭିଜିଲେଟର ଭୁଲ୍ ସ୍ୱୀକାର କରିଛନ୍ତି | ଏଭଳି ସ୍ଥିତିରେ ଆମେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅପେକ୍ଷା କରାଇ ପାରିବୁ ନାହିଁ | ଆମେ ଫଳ ଘୋଷଣା କରିବାକୁ ଅନୁମତି ଦେଉଛୁ | ଏହି ଦୁଇ ଛାତ୍ରଙ୍କ କ୍ଷେତ୍ରରେ, ଆପଣ ଏକ ସମାଧାନର ବାଟ ଖୋଜନ୍ତୁ | ଉଭୟ ଛାତ୍ର ପ୍ରସଙ୍ଗରେ କୋର୍ଟ ଏନଟିଆଇକୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ଦୀପାବଳି ପରେ ଏହାର ଶୁଣାଣି ହେବ ।

ସେପ୍ଟେମ୍ବର ୧୨ରେ ସାରା ଦେଶରେ ନିଟ୍-ୟୁଜି ପରୀକ୍ଷା ହୋଇଥିଲା | ପ୍ରାୟ ୧୬ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ତେବେ ମହାରାଷ୍ଟ୍ର ସୋଲାପୁର ଜିଲ୍ଲାର ଦୁଇ ଜଣ ଛାତ୍ର ଅଭିଯୋଗ କରିଥିଲେ ଯେ ଇନଭିଜିଲେଟରଙ୍କ ଅବହେଳା ଯୋଗୁଁ ସେମାନେ ପରୀକ୍ଷା ସମୟରେ ଭୁଲ୍ ବୁକଲେଟ୍ ଏବଂ ଉତ୍ତର ସିଟ୍ ପାଇଥିଲେ। ଉଭୟ ଛାତ୍ରଙ୍କ ପିଟିସନ ଉପରେ ବମ୍ବେ ହାଇକୋର୍ଟ ନିଟ୍-ୟୁଜି ପରୀକ୍ଷା ଫଳ ଉପରେ ରୋକ୍ ଲଗାଇଥିଲେ । ଏହା ବିରୋଧରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।

Comments are closed.