ଟ୍ୱିଟର ଇଣ୍ଡିଆର ପୂର୍ବତନ ଏମଡି ମନୀଷ ମହେଶ୍ୱରୀଙ୍କ ବଢ଼ିଲା ଅଡ଼ୁଆ, ଏହି ମାମଲାରେ ସୁପ୍ରିମକୋର୍ଟ ଜାରି କଲେ ନୋଟିସ୍

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ପୂର୍ବତନ ଏମଡି ମନୀଷ ମହେଶ୍ୱରୀଙ୍କ ଅଡ଼ୁଆ ବଢ଼ିପାରେ। କର୍ଣ୍ଣାଟକ ହାଇକୋର୍ଟରୁ ମନୀଷ ମହେଶ୍ୱରୀଙ୍କୁ ଦିଆଯାଇଥିବା ସୁରକ୍ଷା ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମନୀଷଙ୍କୁ ନୋଟିସ ଜାରି କରିଛନ୍ତି। ଜଣେ ବୃଦ୍ଧଙ୍କ ସହ ଅସଦାଚରଣର ଭାଇରାଲ ଭିଡିଓ ମାମଲାରେ ଗାଜିଆବାଦ ପୋଲିସ ମନୀଷଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ କିନ୍ତୁ ମହେଶ୍ୱରୀଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଥିଲେ।

ଉତ୍ତରପ୍ରଦେଶ ସରକାର କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । କର୍ଣ୍ଣାଟକ ହାଇକୋର୍ଟ ଜୁନ୍ ୨୪ରେ ଗାଜିଆବାଦରେ ଲୋନି ପୋଲିସ ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆରରେ ମହେଶ୍ୱରୀଙ୍କୁ ସୁରକ୍ଷା ଦେଇଥିଲେ। ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କ ଉପରେ ହୋଇଥିବା ଆକ୍ରମଣର ଭାଇରାଲ ଭିଡିଓ ସମ୍ପର୍କରେ ପଚରାଉଚରା ପାଇଁ ଗାଜିଆବାଦ ପୋଲିସ ମହେଶ୍ୱରୀଙ୍କୁ ନୋଟିସ ଜାରି କରି ହାଜର ହେବାକୁ କହିଥିଲା ।

ଏହି ମାମଲା ଜଣେ ମୁସଲମାନ ବୃଦ୍ଧ ଅବଦୁଲ ଶମାଦ ସୈଫି ଉପରେ ଆକ୍ରମଣର ଏକ ଭାଇରାଲ ଭିଡିଓ ସହ ଜଡ଼ିତ । ସୈଫି କହିଥିଲେ ଯେ ଜୁନ୍ ୫ରେ ତାଙ୍କୁ କିଛି ଯୁବକ ମାଡ଼ ମାରିଥିଲେ ଏବଂ ତାଙ୍କୁ ଜୟ ଶ୍ରୀ ରାମ କହିବାକୁ ବାଧ୍ୟ କରିଥିଲେ। ଏହି ଭିଡ଼ିଓ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ ସେୟାର କରାଯାଇଛି ବୋଲି ପୋଲିସ ଦାବି କରିଥିଲା। ଜୁନ୍ ୧୫ ରେ ଗାଜିଆବାଦ ପୋଲିସ ଟ୍ୱିଟର ଇନକମ, ଟ୍ୱିଟର କମ୍ୟୁନିକେସନ୍ ଇଣ୍ଡିଆ, ନ୍ୟୁଜ୍ ୱେବସାଇଟ୍ ଦି ୱାୟାର, ସାମ୍ବାଦିକ ମହମ୍ମଦ ଜୁବାଇର ଏବଂ ରାଣା ଆୟୁବଙ୍କ ସମେତ କଂଗ୍ରେସ ନେତା ସଲମାନ ନିଜାମି, ମସ୍କୁର ଉସମାନି, ଶମା ମହମ୍ମଦ ଏବଂ ଲେଖକ ସବା ନକଭିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

ଭିଡିଓ କନଫରେନ୍ସିଂ ଜରିଆରେ ତଦନ୍ତ କରିବା ପାଇଁ ଟ୍ୱିଟର ଇଣ୍ଡିଆ ଅଧିକାରୀଙ୍କ ଅନୁରୋଧକୁ ପୋଲିସ ପ୍ରତ୍ୟାଖ୍ୟାନ କରିଥିଲା। ପୋଲିସର ସୂଚନାନୁସାରେ, ବୁଲନ୍ଦଶାହର ଜିଲ୍ଲାର ବାସିନ୍ଦା ସୈଫିଙ୍କ ଠାରୁ କିଣିଥିବା ତାବିଜ୍ ବା ଡେଉରିଆ ନେଇ ଖୁସି ନଥିବାରୁ
ଅଭିଯୁକ୍ତମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣା ସାମ୍ପ୍ରଦାୟିକ ଥିଲା ବୋଲି ପୋଲିସ ଅସ୍ୱୀକାର କରିଥିଲେ। ଘଟଣାର ବିସ୍ତୃତ ତଥ୍ୟ ସହ ଗାଜିଆବାଦ ପୋଲିସ ଏକ ବୟାନ ମଧ୍ୟ ଜାରି କରିଥିଲା, ତଥାପି ଅଭିଯୁକ୍ତମାନେ ସେମାନଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଭିଡିଓ ହଟାଇ ନଥିଲା। ସୈଫି ଦାବି କରିଥିଲେ ଯେ ତାଙ୍କୁ କିଛି ଯୁବକ ଆକ୍ରମଣ କରିଥିଲେ ଏବଂ ଜୟ ଶ୍ରୀ ରାମ କହିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ପୋଲିସ କହିଛି ଯେ ଜୁନ୍ ୭ରେ ସୈଫି ଦ୍ଵାରା ଦାଖଲ ଏଫ୍ଆଇଆର୍ ରେ ସୈଫି ଏପରି ଅଭିଯୋଗ କରିନଥିଲେ ।

Comments are closed.