ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଘର ନିର୍ମାଣ ପାଇଁ ଟଙ୍କା ମାଗିବା ଯୌତୁକ ଦାବି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଘର ନିର୍ମାଣ ପାଇଁ ଶ୍ବଶୁର ଘରକୁ ଟଙ୍କା ମାଗିବା ହେଉଛି ଯୌତୁକ ଦାବି। ସୁପ୍ରିମକୋର୍ଟ ଏହାକୁ ଅପରାଧ ବୋଲି କହିଛନ୍ତି। ଏଥିସହ କୋର୍ଟ ଏପରି ଏକ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଘର ନିର୍ମାଣ ପାଇଁ ଟଙ୍କା ମାଗିବା ଏକ ‘ଯୌତୁକ ଦାବି’, ଯାହା ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୦୪ବି ଅନୁଯାୟୀ ଏକ ଅପରାଧ। ଏକ ଯୌତୁକ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଡକୁ କାଏମ ରଖି ସୁପ୍ରିମକୋର୍ଟ ଏହି ଟିପ୍ପଣୀ କରିଛନ୍ତି।

ପ୍ରଧାନ ବିଚାରପତି ଏନ.ଭି ରମନ୍ନା, ଜଷ୍ଟିସ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ସମ୍ପତ୍ତି ବାବଦରେ ଜଣେ ମହିଳାଙ୍କ ଠାରୁ ଯେକୌଣସି ଦାବି ଯୌତୁକ ଦାବି ଭାବେ ଧରାଯିବ ।

ମାମଲା ଥିଲା ମଧ୍ୟପ୍ରଦେଶର ଜଣେ ମହିଳାଙ୍କର । ଯୌତୁକ ନିର୍ଯ୍ୟାତନା ଯୋଗୁଁ ମହିଳା ଆତ୍ମହତ୍ୟା କରିଥିଲେ। ଶାଶୁଘର ଲୋକେ ଘର ନିର୍ମାଣ ପାଇଁ ଟଙ୍କା ଦେବା ପାଇଁ ମହିଳାଙ୍କୁ ହଇରାଣ କରୁଥିଲେ। ମହିଳାଙ୍କ ପରିବାର ଘର ନିର୍ମାଣ ପାଇଁ ଅର୍ଥ ଦେଇପାରିନଥିଲେ। ଏହି କାରଣରୁ ମହିଳା ଜଣକ ମାନସିକ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରିଥିଲେ। ଏହି ମାମଲାରେ ଆଇପିସିର ଧାରା ୩୦୪-ବି, ୩୦୬ ଏବଂ ୪୯୭-ଏ ଅନୁଯାୟୀ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁରଙ୍କୁ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ପରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ଜଣକ ଘର ନିର୍ମାଣ ପାଇଁ ମୃତ ମହିଳାଙ୍କଠାରୁ ଟଙ୍କା ମାଗିଥିଲେ। ମହିଳାଙ୍କ ପରିବାର ଟଙ୍କା ଦେବାରେ ଅସମର୍ଥ ଥିଲେ।

ଫଳସ୍ୱରୂପ, ମହିଳା ଜଣକ ଲଗାତାର ହଇରାଣ ହରକତ ହେଉଥିଲେ। ଦୋଷୀ ସ୍ୱାମୀ ଏବଂ ଶ୍ୱଶୁର ଏହାକୁ ମଧ୍ୟପ୍ରଦେଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମଧ୍ୟପ୍ରଦେଶ ହାଇକୋର୍ଟ ତଳକୋର୍ଟ ରାୟକୁ ଖାରଜ କରି କହିଥିଲେ ଯେ ମୃତ ମହିଳା ନିଜ ଘର ନିର୍ମାଣ ପାଇଁ ବାପ ଘରକୁ ଟଙ୍କା ଦେବାକୁ କହିଥିଲେ। ତେଣୁ ତାଙ୍କ ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ବିରୋଧରେ ୩୦୪-ବି ଅନୁଯାୟୀ ମାମଲା ହୋଇପାରିବ ନାହିଁ । ଏହାକୁ ମହିଳାଙ୍କ ମୃତ୍ୟୁ ସହିତ ଯୋଡାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ନିମ୍ନ ଅଦାଲତର ରାୟକୁ ସମର୍ଥନ କରିଛନ୍ତି ଏବଂ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି।

Comments are closed.