ବିକ୍ଷୋଭକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ ନେଇ ଯୋଗୀ ସରକାରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ନୋଟିସ୍ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବେଳେ ସର୍ବସାଧାରଣ ସମ୍ପତ୍ତି ଭଙ୍ଗାରୁଜା ପାଇଁ ବିକ୍ଷୋଭକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ ନେଇ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶର ଯୋଗୀ ସରକାରକୁ ଭର୍ତ୍ସନା କରିଛନ୍ତି । ବିକ୍ଷୋଭକାରୀଙ୍କୁ ପଠାଯାଇଥିବା ନୋଟିସ୍ ପ୍ରତ୍ୟାହାର କରିବାକୁ ଯୋଗୀ ସରକାରଙ୍କୁ କହିଛନ୍ତି କୋର୍ଟ । ରାଜ୍ୟ ସରକାର ଯଦି ଏହା ନ‌ କରନ୍ତି ତେବେ ଆମେ ସବୁ ମାମଲା ରଦ୍ଦ କରିଦେବୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଚେତାବନୀ ଦେଇଛନ୍ତି । ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିବା ଯୋଗୀ ସରକାରଙ୍କ ଏଭଳି ପଦକ୍ଷେପ ଆଇନ ବିରୁଦ୍ଧ ଏବଂ ଏହାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାର ନିଜେ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବା ପାଇଁ ଅଭିଯୋଗକାରୀ, ବିଚାରପତି ତଥା ଓକିଲ ଭାବେ କାର୍ଯ୍ୟ କରୁଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଏଭଳି କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରାଯାଉ ନଚେତ୍ ଆମେ ଏହାକୁ ବନ୍ଦ କରିଦେବୁ।

ପରଭେଜ ଆରିଫ ଟିଟୁ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏପରି ଆଦେଶ ଦେଇଛନ୍ତି । ଉତ୍ତର ପ୍ରଦେଶରେ ସିଏଏ ଆଇନ‌ ବିରୋଧରେ ଆନ୍ଦୋଳନ ସମୟରେ ନଷ୍ଟ ହୋଇଥିବା ସର୍ବସାଧାରଣ ସମ୍ପତ୍ତିର କ୍ଷୟକ୍ଷତିର ଆକଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଠାଯାଇଥିବା ନୋଟିସ୍ ରଦ୍ଦ କରିବାକୁ ଆବେଦନକାରୀ ନିବେଦନ କରିଥିଲେ ଏବଂ ଏହା ଉପରେ ରାଜ୍ୟ ସରକାରଙ୍କର ଠାରୁ ଜବାବ ତଲବ କରିବାକୁ କହିଥିଲେ । ଏହି ନୋଟିସ୍ ଏକତରଫା ପଠାଯାଇଥିବା ଆବେଦନରେ ଦର୍ଶାଯାଇଛି। ଏହା ଜଣେ ବ୍ୟକ୍ତିଙ୍କ ନିକଟକୁ ପଠାଯାଇଛି ଯିଏ ଛଅ ବର୍ଷ ପୂର୍ବେ ୯୪ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ଏହା ସହିତ ୯୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଦୁଇ ଲୋକଙ୍କ ସମେତ ଅନ୍ୟାନ୍ୟ ଲୋକଙ୍କୁ ମଧ୍ୟ ଏହିପରି ନୋଟିସ୍ ପଠାଯାଇଥିଲା ବୋଲି ଆବେଦନରେ କୁହାଯାଇଥିଲା ।

Comments are closed.