ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ବାତିଲ୍

ହାମିଲଟନ୍: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବର୍ଷା ପ୍ରଥମେ ବାଧକ‌ ସାଜିବା ବେଳକୁ ଭାରତ ୪.୫ ଓଭରରେ ୨୨ ରନ୍ କରିଥିଲା।

ପ୍ରାୟ ୩ ଘଣ୍ଟା ୪୫ ମିନିଟ୍ ବର୍ଷା ବିରତି ପରେ ଖେଳ ପୁଣି ଆରମ୍ଭ ହୋଇଥିଲା । ମ୍ୟାଚକୁ ଇନିଂସ୍ ପିଛା ୨୯ ଓଭରକୁ ହ୍ରାସ କରାଯାଇଥିଲା । ତେବେ ଆଉ ୮ ଓଭର ଖେଳ ପରେ ପୁଣି ବର୍ଷା ଆରମ୍ଭ ହୋଇଥିଲା | ଖେଳ ଆଉ ସମ୍ଭବ ହୋଇନଥିବାରୁ ମ୍ୟାଚ୍ ବାତିଲ କରାଯାଇଥିଲା ।

ଖେଳ ବନ୍ଦ ହେବା ବେଳକୁ ଭାରତ ୧୨.୫ ଓଭରରେ ଗୋଟିଏ ଓ୍ବିକେଟ୍ ହରାଇ ୮୯ ରନ୍ କରିଥିଲା । ଶୁଭମାନ ଗିଲ (୪୨ ବଲରୁ ୪୫) ଓ ସୂର୍ଯ୍ୟକୁମାର ଯାଦବ (୨୫ ବଲରୁ ୩୪) ଅପରାଜିତ ଥିଲେ। କ୍ୟାପଟେନ ଶିଖର ଧାୱନ ୧୦ ବଲରୁ ୩ ରନ୍ କରି ମ୍ୟାଟ ହେନେରୀଙ୍କ ବଲରେ ଆଉଟ୍ ହୋଇଥିଲେ।

ଦ୍ବିତୀୟ ଦିନିକିଆ ବାତିଲ ହେବା ପରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡ ୧-୦ରେ ଅଗ୍ରଣୀ ବଜାୟ ରଖିଛି। ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ୭ ଓ୍ବିକେଟରେ ବିଜୟୀ ହୋଇଥିଲା । ସିରିଜର ତୃତୀୟ ଦିନିକିଆ ନଭେମ୍ବର ୩୦ରେ ଖ୍ରୀଷ୍ଟଚର୍ଚରେ ଖେଳାଯିବ |

Comments are closed.