ଆଜି ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୯୩ଟି ଆସନରେ ଭୋଟ ଗ୍ରହଣ ଆରମ୍ଭ  | News Room Odisha

ଆଜି ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୯୩ଟି ଆସନରେ ଭୋଟ ଗ୍ରହଣ ଆରମ୍ଭ 

ଅହମ୍ମଦାବାଦ: ଆଜି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ । ଏଥିପାଇଁ ୧୪ଟି ଜିଲ୍ଲାର ୯୩ଟି ଆସନରେ ସକାଳ ୮ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭୋଟ୍ ଦେବେ।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୮୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ଏହି ପର୍ଯ୍ୟାୟରେ ମୋଟ ୨.୫୧ କୋଟି ଭୋଟର ଭୋଟ୍ ଦେବେ। ଏଥିରେ ୧.୨୯ କୋଟି ପୁରୁଷ ଏବଂ ୧.୨୨ କୋଟି ମହିଳା ଭୋଟର ଅଛନ୍ତି | ଏହି ଭୋଟରଙ୍କ ମଧ୍ୟରେ ୫.୯୬ ଲକ୍ଷ ଭୋଟରଙ୍କ ବୟସ ୧୮ ରୁ ୧୯ ବର୍ଷ ।

ଗୁଜରାଟ ବିଧାନସଭାରେ ମୋଟ ୧୮୨ ଟି ଆସନ ଅଛି। ପ୍ରଥମ ପର୍ଯ୍ୟାୟ ପାଇଁ ଡିସେମ୍ବର ୧ ରେ ୮୯ ଟି ଆସନରେ ଭୋଟ୍ ଗ୍ରହଣ ହୋଇଥିଲା। ଡିସେମ୍ବର ୮ ରେ ଗୁଜରାଟ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ |

୨୦୧୭ ବିଧାନସଭା ନିର୍ବାଚନରେ ​​ଶାସକ ବିଜେପି ୯୩ଟି ଆସନ ମଧ୍ୟରୁ ୫୧ଟି ଜିତିଥିଲା ବେଳେ କଂଗ୍ରେସ ୩୯ ଟି ଆସନ ଓ ସ୍ୱାଧୀନ ପ୍ରାର୍ଥୀମାନେ ତିନିଟି ଆସନ ଜିତିଥିଲେ।

ସମସ୍ତ ୯୩ଟି ଆସନରେ ବିଜେପି ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ୯୦ଟି ଆସନରେ ଲଢୁଛି ଏବଂ ଏହାର ସହଯୋଗୀ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ଦୁଇଟି ଆସନରେ ପ୍ରାର୍ଥୀ ଦେଇଛି ।