କର୍ଣ୍ଣାଟକ: ମସଜିଦରେ ପୂଜାର୍ଚ୍ଚନା କରିବାକୁ ବିଶ୍ୱ ହିନ୍ଦୁ ପରିଷଦର ଘୋଷଣା, ଶ୍ରୀରଙ୍ଗାପଟନମରେ ୧୪୪ ଧାରା ଜାରି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଶ୍ୱ ହିନ୍ଦୁ ପରିଷଦ ଶନିବାର ଦିନ ମାଣ୍ଡିଆ ଜିଲ୍ଲାର ଶ୍ରୀରଙ୍ଗାପଟନମ୍ ସ୍ଥିତ ଜାମିଆ ମସଜିଦରେ ପୂଜାର୍ଚ୍ଚନା କରିବାକୁ ଘୋଷଣା କରିଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ସହରରେ ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ଜୁନ୍ ୪ ତଥା ଆଜି ‘ଶ୍ରୀରଙ୍ଗପଟନମ୍ ଚଲୋ’ ଡ଼ାକରା ଦେଇଛି।

ଶନିବାର ଶ୍ରୀରଙ୍ଗାପାଟନମରେ କୌଣସି ରାଲି, ଶୋଭାଯାତ୍ରା କିମ୍ବା ବିରୋଧ ପ୍ରଦର୍ଶନକୁ ଅନୁମତି ଦିଆଯାଇ ନାହିଁ ବୋଲି ମାଣ୍ଡିଆ ଏସପି ୟଥେଶ ଏନ୍ ଗଣମାଧ୍ୟମକୁ କହିଛନ୍ତି।

କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ସହରରେ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଛି।

ଏସପି କହିଛନ୍ତି, “ବର୍ତ୍ତମାନ ସହର ସମ୍ପୂର୍ଣ୍ଣ ଶାନ୍ତ ଅଛି। ଆମେ ଆମର ଫୋର୍ସ ନିୟୋଜିତ କରିଛୁ, ନେତାଙ୍କ ସହ କଥାବାର୍ତ୍ତା କରିଛୁ ଏବଂ ସେମାନଙ୍କୁ ନିଷେଧାଦେଶ ଜାରି କରାଯାଇଥିବା ନେଇ ଅବଗତ କରାଯାଇଛି । ଯଦି କେହି ଏହାକୁ ଉଲ୍ଲଂଘନ କରେ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ”

ସହରର ସବୁ ମନ୍ଦିର ଓ ମସଜିଦ ଚାରିପାଖରେ ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି ବୋଲି ମାଣ୍ଡିଆ ଡିସି କହିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦ ଦାବି କରିଛି ଯେ ଶ୍ରୀରଙ୍ଗପଟନମ୍ କିଲାରେ ଅବସ୍ଥିତ ଜାମିଆ ମସଜିଦ ହନୁମାନ ମନ୍ଦିରକୁ ଭାଙ୍ଗି ନିର୍ମାଣ କରାଯାଇଛି।

ତେବେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ) ଅନୁଯାୟୀ ମସଜିଦ ଉପରେ ପାର୍ସୀ ଭାଷାରେ ଲେଖାଥିବା ଲେଖା ଅନୁଯାୟୀ ଟିପୁ ସୁଲତାନ ୧୭୮୨ ଖ୍ରୀଷ୍ଟାବ୍ଦରେ ମସଜିଦ-ଇ-ଆଲା ନାମକ ଏହି ମସଜିଦ ନିର୍ମାଣ କରିଥିଲେ।

Comments are closed.