ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି, ରୋଡ୍ ସୋ' ବେଳେ ଫୁଲମାଳ ଧରି ପାଖରେ ପହଞ୍ଚିଗଲେ ଯୁବକ | News Room Odisha

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି, ରୋଡ୍ ସୋ’ ବେଳେ ଫୁଲମାଳ ଧରି ପାଖରେ ପହଞ୍ଚିଗଲେ ଯୁବକ

ବେଙ୍ଗାଲୁରୁ: ଗୁରୁବାର କର୍ଣ୍ଣାଟକରେ ରୋଡ୍ ସୋ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଘଟିଛି । ହୁବଲିରେ ରୋଡ୍ ସୋ କରୁଥିବା ବେଳେ ଜଣେ ଯୁବକ ସୁରକ୍ଷା ବଳୟ ଭେଦ କରି ପ୍ରଧାନମନ୍ତ୍ରୀଙ୍କ କାର୍ ନିକଟକୁ ଚାଲି ଆସିଥିଲେ । ତେବେ ସତର୍କ ଏସପିଜି ଯୁବକଙ୍କୁ ସଙ୍ଗେ ସଙ୍ଗେ ତାଙ୍କୁ ଅଟକାଇଥିଲେ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳୁଛି ରୋଡ୍ ସୋ ସମୟରେ ଜଣେ ଲୋକ ଭିଡ଼ ଭିତରୁ ବାହାରି ହାତରେ ଫୁଲମାଳ ଧରି ମୋଦୀଙ୍କ ଆଡକୁ ଯାଉଛନ୍ତି ।

ତେବେ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସୁରକ୍ଷାରେ ନିୟୋଜିତ ଏସପିଜି ତାଙ୍କୁ ଅଟକାଇ ଦେଇଥିଲେ। ତା’ପରେ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ସାଇଡ୍ କରିଦେଇଥିଲେ। ତେବେ ମୋଦୀ ଉକ୍ତ ଯୁବକଙ୍କ ଠାରୁ ଫୁଲମାଳ ଆଣିବାକୁ ତାଙ୍କ ଅଙ୍ଗରକ୍ଷୀଙ୍କୁ କହୁଥିବା ଦେଖିବାକୁ ମିଳୁଛି । ପରେ ତାଙ୍କ ଅଙ୍ଗରାକ୍ଷୀମାନେ ସେହି ଯୁବକଙ୍କ ଠାରୁ ଫୁଲମାଳ ନେଇ ପିଏମ ମୋଦୀଙ୍କୁ ଦେଇଥିଲେ ।

୨୯ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହୁବଲି ଯାଇଛନ୍ତି। ଏଠାରେ ସେ ଏକ ରୋଡ୍ ସୋ କରୁଛନ୍ତି | ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ପ୍ରାୟ ୩୦,୦୦୦ ଯୁବକ ଯୋଗଦେବେ ବୋଲି ଆଶା କରାଯାଉଛି।