ସଞ୍ଜୁ ସାମସନଙ୍କୁ ଅଣଦେଖା କରାଯିବା ନେଇ ଅସନ୍ତୋଷ ଜାହିର କଲେ ଶଶି ଥରୁର

ନୂଆଦିଲ୍ଲୀ: ବୁଧବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ ପ୍ଲେଇଙ୍ଗ୍-୧୧ରୁ ସଞ୍ଜୁ ସାମସନଙ୍କୁ ପୁଣି ବାହାରେ ରଖାଯାଇଥିବା ବେଳେ କ୍ରମାଗତ ବିଫଳତା ସତ୍ତ୍ୱେ ରିଷଭ ପନ୍ତ ସ୍ଥାନ ବଜାୟ ରଖିଥିଲେ । ପନ୍ତଙ୍କୁ ଖେଳାଇବା ନିଷ୍ପତ୍ତିକୁ ଟିମ୍ ଇଣ୍ଡିଆର କାମଚଳା ମୁଖ୍ୟ କୋଚ୍ ଭିଭିଏସ୍ ଲକ୍ଷ୍ମଣ ସମର୍ଥନ କରିଥିଲେ । ଲକ୍ଷ୍ମଣଙ୍କ ଯୁକ୍ତିକୁ ଶଶି ଥରୁର ଜମା ପସନ୍ଦ କରିନାହାଁନ୍ତି ।

କଂଗ୍ରେସ ନେତା ଶଶି ଥରୁର ଟ୍ୱିଟ୍ କରି କହିଛନ୍ତି, “ଭିଭିଏସ୍ ଲକ୍ଷ୍ମଣ କହିଛନ୍ତି ଯେ ପନ୍ତ ଚତୁର୍ଥ ନମ୍ବରରେ ଭଲ ପ୍ରଦର୍ଶନ କରିଛନ୍ତି, ତେଣୁ ତାଙ୍କୁ ସମର୍ଥନ କରିବା ଜରୁରୀ । ସେ ଜଣେ ଭଲ ଖେଳାଳି ଯିଏ ଫର୍ମରେ ନାହାଁନ୍ତି ଏବଂ ଯିଏ ତାଙ୍କର ଗତ ୧୧ ଇନିଂସ ମଧ୍ୟରୁ ୧୦ଟିରେ ବିଫଳ ହୋଇଛନ୍ତି ।” ସାମସନଙ୍କ ଦିନିକିଆ ଆଭରେଜ୍ ୬୬ ରହିଛି, ସେ ତାଙ୍କ ଶେଷ ପାଞ୍ଚଟି ମ୍ୟାଚରେ ରନ୍ କରିଛନ୍ତି କିନ୍ତୁ ସେ ବେଞ୍ଚରେ ବସିଛନ୍ତି। ଭାବନ୍ତୁ। ”

ଉଲ୍ଲେଖଯୋଗ୍ୟ, ସାମସନ୍ ଥରୁରଙ୍କ ରାଜ୍ୟ କେରଳର ଖେଳାଳି।

ସଞ୍ଜୁ ସାମସନ ଭାରତୀୟ ଦଳରୁ ଇନ୍ ଆଣ୍ଡ୍ ଆଉଟ୍ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ସଞ୍ଜୁ ସାମସନ୍ ୩୬ ରନ୍ କରିଥିଲେ । କିନ୍ତୁ ପରବର୍ତ୍ତୀ ଦୁଇଟି ଦିନିକିଆ ପାଇଁ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ | ଅନ୍ୟପକ୍ଷରେ କ୍ରମାଗତ ବିଫଳ ହେବା ସତ୍ତ୍ୱେ ରିଷଭ ପନ୍ତଙ୍କୁ ଦଳରେ ରଖିବା ନେଇ ପ୍ରଶ୍ନ ଉଠିଛି। ପନ୍ତ ତୃତୀୟ ଦିନିକିଆରେ ମଧ୍ୟ ଫେଲ୍ ମାରିଛନ୍ତି । ସେ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ ।

ସଞ୍ଜୁ ସାମସନଙ୍କୁ ଦ୍ୱିତୀୟ ଦିନିକିଆରୁ ଦୂରେଇ ରଖିବା ଉପରେ ଅଧିନାୟକ ଶିଖର ଧାୱନ କହିଥିଲେ ଯେ ଦଳରେ ଜଣେ ଷଷ୍ଠ ବୋଲରଙ୍କୁ ଖେଳାଇବା ପାଇଁ ସାମସନଙ୍କ ସ୍ଥାନରେ ଦୀପକ ହୁଡାଙ୍କୁ ସାମିଲ କରାଯାଇଛି ।

Comments are closed.