ଶହବାଜ ସରିଫ ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ | News Room Odisha

ଶହବାଜ ସରିଫ ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନ ମୁସଲିମ ଲିଗ୍ (ନୱାଜ) ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ଶହବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ପଦ ପାଇଁ ଶହବାଜ ସରିଫ ପାକିସ୍ତାନର ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଥିଲେ। ଆସ୍ଥା ଭୋଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହାରିବା ପରେ ଶହବାଜ ସରିଫ ତାଙ୍କ ସ୍ଥାନ ନେବା ନିଶ୍ଚିତ ହୋଇଯାଇଥିଲା ।

ଆଜି ପ୍ରଧାନମନ୍ତ୍ରୀ ପଦ ପାଇଁ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଅନୁଷ୍ଠିତ ଭୋଟିଂରେ ଶାହବାଜ ସରିଫ ୧୭୪ ଭୋଟ ପାଇଥିବାବେଳେ ଇମ୍ରାନଙ୍କ ଦଳ ପିଟିଆଇ ପ୍ରାର୍ଥୀ ଶାହ ମେହମୁଦ କୁରେଶିଙ୍କୁ ଗୋଟିଏ ବି ଭୋଟ୍ ମିଳିନଥିଲା।

ସୋମବାର ନ୍ୟାସନାଲ ଆସେମ୍ବ୍ଲିର ଅଧିବେଶନ ଆରମ୍ଭ ହେବା ମାତ୍ରେ ଇମ୍ରାନ ଖାନଙ୍କ ଦଳର ସାଂସଦମାନେ ସମୂହ ଇସ୍ତଫା ଦେବାକୁ ଘୋଷଣା କରିଥିଲେ।
ଆମେରିକାର ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ କ୍ଷମତାରୁ ବହିଷ୍କୃତ କରାଯାଇଛି ବୋଲି ଇମ୍ରାନ ଖାନ ଅଭିଯୋଗ କରିଥିଲେ।

ରବିବାର ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ପାରିତ ହେବା ପରେ ଇମ୍ରାନ ଖାନଙ୍କ ସ୍ଥାନ ନେଇ ଶହବାଜ ସରିଫ ବର୍ତ୍ତମାନ ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ହାୱାଲା କାରବାର ସହ ଜଡିତ ଏକ ମାମଲା ଶହବାଜ ସରିଫଙ୍କ ବିରୋଧରେ ଚାଲିଛି, ଯାହାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୭ ରେ ହେବ। ଇତି ମଧ୍ୟରେ କୋର୍ଟ ତାଙ୍କ ଗିରଫ ଉପରେ ଏପ୍ରିଲ ୧୭ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି ।